ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ। ଏନେଇ ନିଷ୍ପତ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ନିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ୬୬୨ ବର୍ଗ ଅଧ୍ୟାପକ ସହଯୋଗ କରିବେ। ମାତ୍ର ପ୍ରତୀକ ଧାରଣା ଜାରି ରହିବ।
ସୂଚନାଯୋଗ୍ୟ, ଗତ ଗୁରୁବାର ମୁହଁରେ କଳାପଟି ବାନ୍ଧି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଗୁରୁବାର ଅପରାହ୍ଣରେ ଶତାଧିକ ଅଧ୍ୟାପକ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର୍ ପିଏମ୍ଜିରେ ପହଞ୍ଚି ସେଠାରେ ପ୍ରତିବାଦ ସଭା କରିଥିଲେ। ସଭାରେ ସଂଘ ପକ୍ଷରୁ କୁହାଯାଇଥିଲା ଯେ ଗତ ଫେବ୍ରୁଆରି ୧୩ ତାରିଖରୁ ୧୫ଦିନ ଧରି ଅହୋରାତ୍ର ଆନ୍ଦୋଳନ ଚାଲିବା ପରେ ସରକାର ସଂଘକୁ ଆଲୋଚନା ପାଇଁ ଡାକିଥିଲେ। ମାର୍ଚ୍ଚ ୧୦ରୁ ୧୨ତାରିଖ ମଧ୍ୟରେ ମନ୍ତ୍ରୀସ୍ତରୀୟ କମିଟି ବସି ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଆଲୋଚନା ପରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷାକୁ ଅଧ୍ୟାପକମାନେ ସୁଚାରୁରୂପେ ପରିଚାଳନା କଲେ। କିନ୍ତୁ ଏଯାଏ ସରକାରଙ୍କ ପକ୍ଷରୁ କୌଣସି ଦାବି ପୂରଣ କରାଗଲା ନାହିଁ। ସଂଘ ପକ୍ଷରୁ କରାଯାଇଥିବା ୪ଦଫା ଦାବିଗୁଡ଼ିକ ହେଲା, ସମାନ ଗ୍ରେଡ୍-ପେ’କୁ ସମାନ ଦରମା ବୃଦ୍ଧି, ସମସ୍ତ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ଦେବା ଓ ପେନସନ୍ ପରିସରଭୁକ୍ତ କରିବା, ୨୦୧୮ ଜି.ଓରେ ଅର୍ନ୍ତଭୁକ୍ତ କର୍ମଚାରୀମାନଙ୍କୁ ୭ମ ବେତନ କମିସନ ହାରରେ ଦରମା ଦେବା, ଅନୁଦାନରୁ ବାଦ୍ ପଡ଼ିଥିବା କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଆଦି ଦାବି ସଂଘ ପକ୍ଷରୁ କରାଯାଇଛି। ସରକାର ଅତିଶୀଘ୍ର ଏହାର ଆଶୁ ସମାଧାନ ନକଲେ, ଆଗାମୀ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ମୂଲ୍ୟାୟନ ବର୍ଜନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

Spread the love