କୋରାପୁଟରେ ଖୋଲିଲା ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ; ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ କୋରାପୁଟରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି। ଏହି ଅବସରରେ ଜିଲ୍ଲାର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଅତିରିକ୍ତ ମୁଖ୍ୟଶାସକ ସଚିବ ପ୍ରଦୀପ୍ତ ମହାପାତ୍ର, କୋରାପୁଟ ଜିଲ୍ଲାପାଳ ଓ  ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ।

ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମାତ୍ର ୬ସପ୍ତାହ ପୂର୍ବରୁ ଓଡ଼ିଶାରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲେ ବି ଆମକୁ ସଫଳତା ମିଳିଛି। ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ କୋରାପୁଟରେ ଖୋଲିଛି। ଓଡ଼ିଶାର ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ମିଳୁଛି ଏବଂ ଜଣେ ବି ବ୍ୟକ୍ତି ଚିକିତ୍ସା ଲାଭରୁ ବଞ୍ଚିତ ହେବେ ନାହିଁ ତାହା ସରକାର ଦେଖୁଛନ୍ତି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଅଧିବାସୀଙ୍କୁ ଭଲ ସେବା ଯୋଗାଇ ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ।ଏହି ଅବସରରେ ରାଜ୍ୟ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ ବକ୍ତବ୍ୟ ରଖି କହିଥିଲେ ଯେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ଲୋକେ ମହାମାରୀ ସମୟରେ ଭଲରେ ଅଛନ୍ତି। ସାରା ବିଶ୍ୱରେ ଓଡ଼ିଶାର କୋଭିଡ ପରିଚାଳନା ପ୍ରଶଂସିତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ଅବସରରେ ସମଗ୍ର ଓଡ଼ିଶାରେ ପ୍ଲାଜମା ବ୍ୟାଙ୍କ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସଫଳ ହୋଇଛି ବୋଲି ମତ ରଖିଥିଲେ । ଏଥିସହ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଯାହା ଚାହାନ୍ତି ତାହା ହିଁ ହେବ। ଓଡ଼ିଶା ଜିତିବ କରୋନା ନିଶ୍ଚୟ ହାରିବ। କରୋନାରୁ ମୁକ୍ତ ହୋଇଥିବା ଲୋକେ ଭୟ ନ କରି ପ୍ଲାଜମା ଦାନ ଲାଗି ଆଗେଇ ଆସନ୍ତୁ।ଏହି ଅବସରରେ ପ୍ଲାଜମାଦାତାମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଶେଷରେ ଜିଲ୍ଲାପାଳ ମଧୁସୁଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ପରିଚାଳନା କରିଥିଲେ।

Spread the love