ମାଟିରେ ମିଶିବ ଯୋଶୀମଠର ୭୨୩ ଘର : ୧୩୧ ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର

ମାଟିରେ ମିଶିବ ଯୋଶୀମଠର ୭୨୩ ଘର । ଭୁଶୁଡ଼ି ପଡ଼ିବା ବିପଦ ଥିବା ୨ଟି ହୋଟେଲ୍‌ ସମେତ ଅନେକ ଅସୁରକ୍ଷିତ ଘର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ସିବିଆରଆଇ ଯାଞ୍ଚ କାର୍ଯ୍ୟ ଶେଷ କରିବା ପରେ ଅସୁରକ୍ଷିତ କୋଠାଗୁଡ଼ିକୁ ମାଟିରେ ମିଶାଇ ଦେବାପାଇଁ ବୁଲ୍‌ଡୋଜର ପହଞ୍ଚିଯାଇଛି । ମୋଟ ୭୨୩ ଟି ଘର ଏବଂ ୨ଟି ହୋ‌ଟେଲ ଭାଙ୍ଗିବା ପାଇଁ ଯୋଜନା ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ମାଉଣ୍ଟ ଭିଉ ଏବଂ ମଲ୍ଲାରି ଇନ୍‌ ନାମକ ୨ଟି ହୋଟେଲ ପ୍ରଥମ ପର୍ଯ୍ୟାୟରେ ଭଙ୍ଗାଯିବ ।

ଉକ୍ତ ୨ଟି ହୋଟେଲ୍‌ ଅତି ବିପଜ୍ଜନକ ଅବସ୍ଥାରେ ରହିଛି। ହୋଟେଲ ନିକଟସ୍ଥ ଘରଗୁଡ଼ିକରୁ ମଧ୍ୟ ଲୋକଙ୍କୁ ଖାଲି କରାଯାଇଛି। ଚାମୋଲି ଜିଲ୍ଲାପାଳ କହିଛନ୍ତି, ଅଞ୍ଚଳରେ ଅସୁରକ୍ଷିତ ଚିହ୍ନଟ କରାଯାଇଥିବା ଘରୁ ଲୋକମାନଙ୍କୁ ଖାଲି କରାଯାଇଛି। ଆଜି ରୁ୍ର୍‌କିରୁ ଏକ ସିବିଆରଆଇ ଟିମ୍‌ ଆସିବେ ଏବଂ ଅଧିକ ବିପଦ ରହିଥିବା ଅଂଚଳର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ । ଯୋଶୀମଠ ପରି ଚାମୋଲି ଜିଲ୍ଲାର ବହୁଗୁଣା ନଗର ଏବଂ କର୍ଣ୍ଣପ୍ରୟାଗରେ ବି କିଛି ଘର ଓ ରାସ୍ତାରେ ଫାଟ ଦେଖାଦେଇଛି । ସିତାରଗଞ୍ଜ ବିଧାୟକ‌ ସୌରଭ ବହୁଗୁଣା କହିଛନ୍ତି, ଯୋଶୀମଠ ନିକଟରେ ଆହୁରି ଅନେକ ଗ୍ରାମରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ପ୍ରଭାବିତ‌ ଲୋକଙ୍କୁ ଥଇଥାନ କରିବାପାଇଁ ଉଦ୍ୟମ ଜାରି ରହିଛି । ସ୍ଥାନୀୟ ରିପୋର୍ଟ ଅନୁଯାୟୀ କର୍ଣ୍ଣପ୍ରୟାଗ ଅଞ୍ଚଳ ମଧ୍ୟ ବିପର୍ଯ୍ୟୟପ୍ରବଣ ଶ୍ରେଣୀରେ ରହିଛି । ଉକ୍ତ ଅଞ୍ଚଳରେ ପ୍ରାୟ ୫୦ଟି ଘରେ ଫାଟ ଦେଖାଦେଇଛି । ଯୋଶୀମଠଠାରୁ କର୍ଣ୍ଣପ୍ରୟାଗ ୮୧ କିମି ଦୂର। ଏବେ ଏହି ଅଞ୍ଚଳରେ ଏକ ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ କାମ ବନ୍ଦ ରଖାଯାଇଛି ।

Spread the love