ଆଜିର ଦିନରେ ଆମେରିକାରେ ଲାଡେନ ରଚିଥିଲା ମୃତ୍ୟୁର ତାଣ୍ଡବ, ଛାରଖାର ହୋଇଥିଲା ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର

ନୂଆଦିଲ୍ଲୀ11/ 09 : ସକାଳର ସୂର୍ଯ୍ୟ କିରଣରେ ଚକ୍ ଚକ୍ କରୁଥିଲା ଜୀବନ। ଆରମ୍ଭ ହୋଇଯାଇଥଲା ସେଦିନର କାମ। ହଠାତ୍ ଏମିତି କିଛି ଘଟିଲା ଯାହାର ନଥିଲା ଆଶଙ୍କା। ଚିନ୍ତା ଓ ଆକାଳନଠୁ ଅନେକ ଦୂରରେ ଥିଲା ବିଶ୍ୱାସ । କିନ୍ତୁ ଘଟିଲା କିଛି ଭୟଙ୍କର। ଘଟଣାଟି ଆମେରିକାର କିନ୍ତୁ ପୂରା ବିଶ୍ୱ ସ୍ତବ୍ଧ। ଆମେରିକାରେ ନିମିଷକରେ ଖେଳିଗଲା ଭୟ ଓ ଆତଙ୍କ। ମୃତ୍ୟୁର ଏକ ଭୟାନକ ଚିତ୍ର। ଚୁନା ହୋଇଗଲା ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର। 2 ଟି ଏରୋପ୍ଲେନରେ ଆସିଥିଲା ମୃତ୍ୟୁ। କ୍ଷଣକେ କରିଦେଇଥିଲା ସବୁ ଛାରକାର୍। 

ସମୟ ସକାଳ ୮.୩୦ ମିନିଟ୍‌ । ପ୍ରତିଦିନ ଭଳି ସେଦିନ ବି, ବିଶ୍ବ ବାଣିଜ୍ୟ କେନ୍ଦ୍ରରେ ପହଞ୍ଚି, କାମ ଆରମ୍ଭ କରିବାକୁ ଯାଉଥିଲେ କର୍ମଚାରୀ । ହଠାତ୍‌ ଶୁଭିଲା ଭୟଙ୍କର ବିସ୍ଫୋରଣର ଶବ୍ଦ । କେହି କିଛି ବୁଝିବା ଆଗରୁ ଧୂଆଁମୟ ହୋଇଯାଇଥିଲା ପୂରା ଅଞ୍ଚଳ । ଚାରିଆଡ଼େ ଶୁଭୁଥିଲା ଚିତ୍କାର।  ଏତିକିରେ ଥମିନଥିଲା ଆତଙ୍କୀଙ୍କ ବର୍ବରତା । ପ୍ରଥମ ବିସ୍ଫୋରଣର ୧୭ ମିନିଟ୍‌ ପରେ ପୁଣି ଶୁଭିଲା ଆଉ ଏକ ଧମାକା।

କିଏ ଭୁଲିବ ସେ ଦିନର ତାଣ୍ଡବ? କିଏ ଜାଣିଥିଲା କୁଖ୍ୟାତ ଆତଙ୍କବାଦୀ ଲାଡେନ୍‌ ରଚିବ ଏଭଳି କାରନାମା? ଆମେରିକାର ଛାତି ଉପରେ ଆକ୍ରମଣ କରି ପୂରା ବିଶ୍ବକୁ ଦୋହଲାଇ ଦେଇଥିଲା ଲାଡେନ୍‌ । ବିଶ୍ବ ବାଣିଜ୍ୟ କେନ୍ଦ୍ରରେ ବିସ୍ଫୋରଣ ହୋଇଥିଲା ଦୁଇଟି ବିମାନ । ଚାହୁଁଚାହୁଁ ଭୁଶୁଡି ପଡିଥିଲା ୧୧୦ ମହଲା ବିଲ୍ଡିଂ । ଜୀଅନ୍ତା ଜଳିଯାଇଥିଲେ ୩୦୦୦ ଲୋକ । ଆଉ ଆଜି ଆମେରିକା ଆକ୍ରମଣକୁ ପୁରିଛି ୨୧ ବର୍ଷ । ୨୧ ବର୍ଷ ଭିତରେ ଅନେକ କିଛି ବଦଳିଛି । କିନ୍ତୁ ଆଜି ବି ଆମେରିକା ବାସୀଙ୍କ ମନରୁ ଲଭିନି  ସେ ଦିନର ସେହି ଲୋମହର୍ଷଣକାରୀ ଘଟଣା।  

ଆମେରିକା ଇତିହାସରେ ଏହା ଥିଲା ସବୁଠୁ ଭୟଙ୍କର ଓ ବଡ ଆତଙ୍କୀ ଆକ୍ରମଣ । ଆଉ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଥିଲା ଓସାମା ବିନ୍‌ ଲାଡେନ୍‌ । ଘଟଣାରେ କେବଳ ଆମେରିକା ନୁହେଁ, ଦୋହଲି ଯାଇଥିଲା ପୁରା ବିଶ୍ବ । ଆଫଗାନିସ୍ତାନରେ ବସି ପୁରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା କୁଖ୍ୟାତ ଆତଙ୍କବାଦୀ ଲାଡେନ୍‌ । ବିମାନ ହାଇଜାକ୍‌ରେ ସାମିଲ ଥିଲେ ୧୯ଜଣ ଆତଙ୍କୀ । ଓ୍ବାଲର୍ଡ ଟ୍ରେଡ୍‌ ସେଣ୍ଟରରେ ଦୁଇଟି ବିମାନ ମାଡ ହୋଇଥିବା ବେଳେ, ଗୋଟିଏ ପେଣ୍ଟାଗନ୍‌ ଏବଂ ଆଉ ଗୋଟିଏ ବିମାନ ଜମିରେ କ୍ରାସ କରାଯାଇଥିଲା । ୪ଟି ବିମାନରେ ଥିଲେ ୨୪୬ ଯାତ୍ରୀ । ବିଶ୍ବ ବାଣିଜ୍ୟ ସଂସ୍ଥାର ୨୬୦୬ ଜଣଙ୍କ ଜୀବନ ଯାଇଥିବା ବେଳେ, ପେଣ୍ଟାଗନରେ ଜୀବନ ହାରିଥିଲେ ୧୨୫ ଜଣ । ଏତିକିରେ ସରିନଥିଲା ମୃତ୍ୟୁର ତାଣ୍ଡବ। ଉଦ୍ଧାର ବେଳେ ୩୪୪ ଜଣ ରେସ୍କ୍ୟୁ ଟିମ୍‌ ସଦସ୍ୟଙ୍କ ସମେତ, ଜୀବନ ହାରିଥିଲେ ୭୧ ପୋଲିସ କର୍ମୀ ଓ ୫୫ ଜଣ ସେନା ଯବାନ । ଗୁରୁତର ଆହତ ହୋଇଥିଲେ ହଜାର ହଜାର ସାଧାରଣ ଲୋକ।  

ଆମେରିକା ଉପରେ ଆକ୍ରମଣ ପରେ,  ଲାଡେନକୁ ନେଇ ସାରା ବିଶ୍ବରେ କୋକୁଆ ଭୟ।  ଏହି ଘଟଣାକୁ ନେଇ ଲାଡେନ ନିଜକୁ ଦାୟୀ କରିବା ପରେ ପ୍ରତିଶୋଧ ପରାଣୟ ହୋଇଥିଲା ଆମେରିକା । ଘଟଣାର କିଛି ବର୍ଷ ପରେ ପ୍ରତିଶୋଧ ନେଇଥିଲେ ତତ୍‌କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା। ପାକିସ୍ତାନରେ ଲୁଚିଥିବା ଲାଡେନଙ୍କୁ ହତ୍ୟା କରିଥିଲେ ଆମରିକୀୟ ଯବାନ ।

Spread the love