ପୁଣି ୯ରୁ ବର୍ଷା

ଭୁବନେଶ୍ୱର୦୮/୦୨: ରାଜ୍ୟରେ ଏବେ ପଶ୍ଚିମା ଝଡ଼ ସକ୍ରିୟ ଅଛି । ଏହାର ପ୍ରଭାବରେ ୯ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ଫଳରେ ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ବଢ଼ିବ ଓ ଶୀତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୮ ତାରିଖ ରାତିରୁ ପୁଣି ଏକ ପଶ୍ଚିମା ଝଡ଼ର ପ୍ରଭାବ ଆଶଙ୍କା ଅଛି । ଏହାର ପ୍ରଭାବରେ ୧୦ ତାରିଖ ପରେ ଶୀତ ଆହୁରି କମିବ ବୋଲି ବିଭାଗ ପୂର୍ବାନୁମାନ ଲଗାଇଛି ।

ସୋମବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀକୁ କମିଛି । ସୋନପୁରରେ ରାତି ତାପମାତ୍ରା ୯ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୯.୫, କେନ୍ଦୁଝରରେ ରାତି ତାପମାତ୍ରା ୯.୮ ଡିଗ୍ରୀ ରହିଛି । କିଛି ସ୍ଥାନରେ ଦିନ ତାପମାତ୍ରା ବି ବଢ଼ିଛି । ଟିଟିଲାଗଡ଼ରେ ସର୍ବାଧିକ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବଲାଙ୍ଗୀରରେ ୩୧, ସୋନପୁର ଓ ବୌଦ୍ଧରେ ୩୦.୫, ଯାଜପୁର, କଟକ ଓ ଭବାନୀପାଟଣାରେ ୩୦.୨ ଓ ନୟାଗଡ଼ରେ ୩୦ ଡିଗ୍ରୀ ତାପମାତ୍ରା ରହିଥିଲା ।

ମଙ୍ଗଳବାର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇପାରେ । ବୁଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ଅଛି । ୧୦ରେ ଉତ୍ତର ଓଡ଼ିଶା ସମେତ ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

Spread the love