ଖାତରେ ଖସିପଡ଼ିଲା ସେନା ଗାଡ଼ି, ୯ ଯବାନ ସହିଦ ଆଶଙ୍କା

ଲେହ : ଲଦାଖର ରାଜଧାନୀ ଲେହର କାରକିରେ ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୯ ଯବାନ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁସାରେ, ଲେହ ନିକଟସ୍ଥ କେରି ଗାଁରେ ସେନା ଗାଡ଼ିଟି ଯାଉଥିବାବେଳେ ଏକ ଖାଲକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି ।

ଟ୍ରକରେ ୨ ଜଣ ଜେସିଓ ଓ ୭ ଜଣ ଯବାନ ଥିଲେ। ଗୋଟିଏ ଏସୟୁଭି, ଟ୍ରକ୍ ଓ ଆମ୍ବୁଲାନ୍ସ ସମେତ ୩ଟି ଗାଡ଼ିରେ ମୋଟ ୩୪ ଜଣ ଯବାନଙ୍କୁ ନେଇ ଗଠିତ ଏକ ରେକି ପାର୍ଟି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ସେନା ଦଳ କାରୁ ସେନା ଛାଉଣୀରୁ ନୟୋମାକୁ ଯାଉଥିଲା । ଘଟଣାସ୍ଥଳରେ ସେନାର ବରିଷ୍ଠ ଅଧିକାରୀ ଓ ସେନାର ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଭାରତୀୟ ସେନାର ଜଣେ ଅଧିକାରୀ କହିଛନ୍ତି ଯେ ଲେହରୁ ନୟୋମା ଅଭିମୁଖେ ଯାଉଥିବା ଏକ ଏଏଲ୍ଏସ୍ ଗାଡ଼ି ସନ୍ଧ୍ୟା ପ୍ରାୟ ୫ଟା ୪୫-୬ଟା ବେଳେ କେରୀଠାରୁ ୭ କିଲୋମିଟର ଦୂର ଏକ ଉପତ୍ୟକାରେ ଖସି ପଡ଼ିଥିଲା। ଏହି ଗାଡିରେ ୧୦ ଜଣ ଯବାନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Spread the love