ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାରେ କେନାଲକୁ ଖସିପଡିଲା ବସ୍, ୯ ମୃତ

ଜାଲେରୁ ୧୫।୧୨: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ଜାଲେରୁରେ ବୁଧବାର ସରକାରୀ ସଡ଼କ ପରିବହନ ନିଗମ ବସ୍ କେନାଲକୁ ଖସିପଡିଛି। ଫଳରେ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ବସ୍‌ଟି ଅଶ୍ୱରାଓପେଟାରୁ ଜଙ୍ଗାରେଡ୍ଡିଗୁଡେମ ଯିବା ରାସ୍ତାରେ ଜାଲେରୁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ବେଳେ ବସ୍‌ରେ ପ୍ରାୟ ୪୭ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି।

ଜାଲେରୁ ୱାଗୁ କେନାଲକୁ ବସ ଖସିପଡିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୫ ଜଣ ମହିଳା ଥିବା ଜଣାପଡିଛି।  ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକସହ ଧକ୍କା ଲାଗିବା ଆଶଙ୍କାରେ ଡ୍ରାଇଭର ବସ୍‌କୁ ରାସ୍ତାକଡକୁ ନେଇଯିବାରୁ ନିୟନ୍ତ୍ରଣ ହରାଇଥିଲେ। ଫଲରେ ବସଟି କେନାଲକୁ ଖସିପଡିଥିବାର କୁହାଯାଇଛି।

ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଜଗନମୋହନ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ୫ଲକ୍ଷ ଟଙ୍କାଏ କ୍ଷତିପୂରଣ ରାଶି ଘୋଷଣା କରିଥିବା ବେଳେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି।   ସେହିପରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକଟ କରିଛନ୍ତି। ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟପାଳ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Spread the love