କଟକ ଭୁବନେଶ୍ବର ରେ ଆଜିଠୁ ସପିଂ ମଲ ବନ୍ଦ

ଭୁବନେଶ୍ବର, ୧୬/୦୩: କରୋନା’ ସତର୍କତାମୂଳକ ପଦକ୍ଷେପ ଭାବେ ଭୁବନେଶ୍ୱର, କଟକର ସମସ୍ତ ସପିଂ ମଲ୍ କାଲିଠୁଁ ୩୧ ତାରିଖ ଯାଏଁ ବନ୍ଦ ରହିବ । ରବିବାର ରାତିରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ସ୍କୁଲ, କଲେଜ, ସୁଇମିଂ ପୁଲ୍, ଜିମ୍, କୋଚିଂ ସେଣ୍ଟର ପୂର୍ବରୁ ବନ୍ଦ କରିଦିଆଯାଇଛି । ସାମାଜିକ କାର୍ଯ୍ୟକ୍ରମ, ଜନଗହଳି ଆଦି ଉପରେ ମଧ୍ୟ କଟକଣା ଜାରି ହୋଇଛି ।
ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିବା ସହ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଖୋର୍ଦ୍ଧା, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଉପରେ କଟକଣା ଜାରି କରାଯାଇଛି । କୌଣସି ପର୍ଯ୍ୟଟକ ସେଠାକୁ ନଯିବା ପାଇଁ ବାରଣ କରାଯାଇଛି । ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ‘କରୋନା’ ସମ୍ବନ୍ଧୀୟ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ କରୋନା ଭାଇରସ୍ କୁ ନ ଡରି ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏହାର ତଦାରଖ କରୁଛନ୍ତି । ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବଠାରୁ ଜନସାଧାରଣ ଦୂରେଇ ରହି ଶାନ୍ତ ଓ ସଚେତନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏପଟେ, ରାଜ୍ୟ ସରକାର ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଅଫିସର ଇନ୍ ସ୍ପେଶାଲ୍ ଡ୍ୟୁଟି(ଓଏସଡି) ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା କୋଭିଡ୍-୧୯ ରେଗୁଲେସନ,୨୦୨୦ର କାର୍ଯ୍ୟକାରିତା ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହି ଅଧିକାରୀମାନେ ହେଲେ ଓମଫେଡର ସିଜିଏମ୍ ସୋମେଶ କୁମାର ଉପାଧ୍ୟାୟ,ଓଏମସି ଲିମିଟେଡ ର ଇଡି ପି.ଅବନେଶ ରେଡ୍ଡୀ, ଗ୍ରୀଡ଼କୋ ଇଡି ପାଟିଲ୍ ଆଶଇଷ ଇଶ୍ୱର ଏବଂ ଓସିଏସି ଓଏସଡି ଦିବାକର ଟି.ଏସ୍ ।

Spread the love