୬୧ ବର୍ଷରେ ପୁଣି ତୃତୀୟଥର ବିବାହ କରିବେ ଆମିର ଖାନ
ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ଚର୍ଚ୍ଚାରେ । ଏଥର କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ହେଡଲାଇନରେ ଅଛନ୍ତି । ୬୧ ବର୍ଷୀୟ ଆମିର ଖାନ ୪୭ ବର୍ଷୀୟା ଗୌରୀ ସ୍ପ୍ରାଟଙ୍କୁ ନିଜର ଜୀବନସାଥୀ ଭାବେ ବାଛିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ଏହି ଯୋଡ଼ି ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଗହଣରେ ରେଜିଷ୍ଟ୍ରାର୍ ମ୍ୟାରେଜ୍ କରିବାକୁ ଯାଉଛନ୍ତି। ସବୁଠାରୁ ଖାସ୍ କଥା ହେଉଛି, ଏହି ବିବାହରେ ବଲିଉଡର ଦୁଇ ସୁପରଷ୍ଟାର୍ ସଲମାନ ଖାନ ଏବଂ ଶାହରୁଖ ଖାନ ‘ବାରାତି’ ସାଜିବେ ବୋଲି ଚର୍ଚ୍ଚା ହେଉଛି । ଆମିର ଏବଂ ଗୌରୀଙ୍କ ସମ୍ପର୍କର କାହାଣୀ ବେଶ୍ ଆକର୍ଷଣୀୟ । ୨୦୨୫ ମାର୍ଚ୍ଚ ୧୩ରେ ନିଜ ୬୦ତମ ଜନ୍ମଦିନ ଅବସରରେ ଆମିର ପ୍ରଥମ କରି ଗୌରୀଙ୍କୁ ସମସ୍ତଙ୍କ ସହ ପରିଚିତ କରାଇଥିଲେ । ସେତେବେଳେ ସେ କହିଥିଲେ ଯେ, ସେମାନେ ପରସ୍ପରକୁ ୨୫ ବର୍ଷ ହେବ ଜାଣିଛନ୍ତି, କିନ୍ତୁ ପ୍ରାୟ ଏକ ବର୍ଷ ପୂର୍ବରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଗୌରୀ ଜଣେ ୬ ବର୍ଷର ପୁଅର ମା’ ଏବଂ ଆମିରଙ୍କ ପରିବାର ମଧ୍ୟ ଏହି ସମ୍ପର୍କକୁ ଗ୍ରହଣ କରିସାରିଛନ୍ତି । ଯଦିଓ ପୂର୍ବରୁ ଆମିର କହିଥିଲେ ଯେ ୬୦ ବର୍ଷ ବୟସରେ ବିବାହ ଶୋଭା ପାଏନାହିଁ, କିନ୍ତୁ ଗୌରୀଙ୍କ ପ୍ରେମ ତାଙ୍କୁ ପୁଣିଥରେ ସଂସାର ବସାଇବାକୁ ପ୍ରେରିତ କରିଛି ।
ଗୌରୀଙ୍କ ସହ ସମ୍ପର୍କ ସାର୍ବଜନୀନ ହେବା ପରେ ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି। ୨୦୨୫ ଏପ୍ରିଲରେ ମାକାଉ ଇଣ୍ଟରନ୍ୟାସନାଲ କମେଡି ଫେଷ୍ଟିଭାଲରେ ଉଭୟ ପାରମ୍ପରିକ ପୋଷାକରେ ନଜର ଆସିଥିଲେ। କେବଳ ସେତିକି ନୁହେଁ, ଆମିର ନିଜର ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ଘରକୁ ମଧ୍ୟ ଗୌରୀଙ୍କ ସହ ଯାଇଥିଲେ, ଯାହା ସେମାନଙ୍କ ସୁସମ୍ପର୍କର ପ୍ରମାଣ ଦିଏ । ଏକ ପଡକାଷ୍ଟରେ ଆମିର କହିଥିଲେ ଯେ, ଜଣେ ସାଧାରଣ ବନ୍ଧୁଙ୍କ ଜରିଆରେ ସେମାନଙ୍କ ଭେଟ ହୋଇଥିଲା ଏବଂ ଅଜାଣତରେ ସେମାନେ ପରସ୍ପରର ନିକଟତର ହୋଇଥିଲେ।
ଗତ କିଛି ମାସ ଧରି ଆମିର ଏବଂ ଗୌରୀ ଏକାଠି ରହୁଛନ୍ତି । ରିପୋର୍ଟ ଅନୁସାରେ, ଜାନୁଆରୀ ୨୦୨୬ରେ ସେମାନେ ଏକ ନୂଆ ଘରକୁ ସିଫ୍ଟ କରିଛନ୍ତି। ଆମିର ଗୌରୀଙ୍କ ସହ ନିଜ ସମ୍ପର୍କକୁ ନେଇ ବେଶ୍ ଗମ୍ଭୀର । ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ମାନସିକ ସ୍ତରରେ ସେ ଗୌରୀଙ୍କୁ ନିଜ ପତ୍ନୀ ଭାବେ ଗ୍ରହଣ କରିସାରିଛନ୍ତି । ଗୌରୀଙ୍କ ଆସିବା ପରେ ତାଙ୍କ ଜୀବନରେ ଏକ ସକାରାତ୍ମକ ଭାବନାତ୍ମକ ପରିବର୍ତ୍ତନ ଆସିଛି ଏବଂ ସେ ଏବେ ବହୁତ ଖୁସି ଅଛନ୍ତି ।
ଆମିରଙ୍କ ୬୧ତମ ଜନ୍ମଦିନରେ ତାଙ୍କ ପୁଅ ଜୁନୈଦ, ଆଜାଦ ଏବଂ ଝିଅ ଇରା ମଧ୍ୟ ଗୌରୀଙ୍କ ସହ ଖୁସିରେ ସମୟ ବିତାଇଥିବା ଦେଖିବାକୁ ମିଳିଥିଲା । ଏବେ ପ୍ରଶଂସକମାନେ କେବଳ ଜୁଲାଇ ୫ ତାରିଖର ବିବାହ ଫଟୋକୁ ଅପେକ୍ଷା କରିଛନ୍ତି। ଆମିରଙ୍କ ଏହି ନୂଆ ଯାତ୍ରା ତାଙ୍କ ଜୀବନରେ କେତେ ଖୁସି ଆଣୁଛି, ତାହା ଦେଖିବାକୁ ବାକି ରହିଲା ।
