କୁକୁଡା ଚାଷୀଙ୍କୁ ସୁରକ୍ଷା ଦିଅ:ବିଜେପି

ଭୁବନେଶ୍ୱର,ତା.୧୬/୦୩: କୁକୁଡା ମାଂସ ଖାଇଲେ କରୋନା ହେବ ଏକଥା ମିଛ ପ୍ରମାଣିତ ହୋଇ ସାରିଛି ଏବଂ ଏହାର କୌଣସି  ବୈଜ୍ଞାନିକ ସତ୍ୟତା ନାହିଁ । ହେଲେ ଗୁଜବ ହେଉଛି ଯେ, କୁକୁଡା ମାଂସ ଖାଇଲେ କରୋନା ବ୍ୟାପିବ । ସେହି କାରଣରୁ ଏବେ କେହି କୁକୁଡା ମାଂସ ଖାଉ ନଥିବାରୁ କୁକୁଡା ଚାଷ କରୁଥିବା ଚାଷୀମାନେ ଦୁର୍ଦ୍ଦଶାରେ ଅଛନ୍ତି । ଏହି ଗୁଜବ ପ୍ରଚାର ହେବା ପରେ ସରକାର ଏହାକୁ ମିଥ୍ୟା ବୋଲି ଯେପରି ମାତ୍ରାରେ କହିବା କଥା କହିଲେ ନାହିଁ । ଯାହା ଫଳରେ ଏହି ଗୁଜବ ବଢିବଢି ଚାଲିଲା, ଯାହାର ସିଧାସଳଖ ମାଡ କୁକୁଡା ଚାଷୀଙ୍କ ଉପରେ ପଡିଲା । ଚାଷୀମାନେ ସେମାନଙ୍କ କୁକୁଡା ବିକ୍ରି କରିପାରୁ ନାହାଁନ୍ତି । କୁକୁଡା ପିଛା ଖର୍ଚ୍ଚ କରୁଥିବା ଦାନା ଖର୍ଚ୍ଚ ବି ଉଠୁନାହିଁ ।

ସରକାର  ତୁରନ୍ତ ବଜାରରେ କିପରି କୁକୁଡା ମାଂସ ପୁନର୍ବାର ବିକ୍ରି ହେବ ତାହା ଉପରେ ପଦକ୍ଷେପ ନେବା ସହ ଚାଷୀମାନଙ୍କୁ କୁକୁଡା ବିକ୍ରି ନହେଲା ପର୍ଯ୍ୟନ୍ତ ମାଗଣାରେ ଦାନା ଯୋଗାଇବାର ବ୍ୟବସ୍ଥା କରନ୍ତୁ । ନହେଲେ ରାଜ୍ୟରେ ଯେଉଁମାନେ କୁକୁଡା ଚାଷ କରି ନିଜ ପରିବାର ପୋଷୁଛନ୍ତି ସେମାନେ ଦେବାଳିଆ ହେବା ସହିତ ରାଜ୍ୟରେ ଏକ ରୋଜଗାରର ମାଧ୍ୟମ ପାଲଟିଥିବା ଏହା ଚାଷ ବୁଡିଯିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ  ସୁରଥ ବିଶ୍ୱାଳ କହିଛନ୍ତି ।
ଆମେ ଆଗରୁ କୁକୁଡା ମାଂସ ପାଇଁ ପଡୋଶୀ ରାଜ୍ୟ ମାନଙ୍କ ଉପରେ ନିର୍ଭରଶୀଳ ଥିଲେ । ହେଲେ ଏବେ ଆମେ କୁକୁଡା ମାଂସରେ ଆତ୍ମନିର୍ଭରଶୀଳ ହୋଇପାରିଛେ । ଏଥିପାଇଁ ଶ୍ରେୟ ଯାଉଛି ସେହି କୁକୁଡା ଚାଷୀମାନଙ୍କୁ ଯେଉଁମାନେ ନିଜର ପରିଶ୍ରମ ବଳରେ ଓଡିଶାକୁ କୁକୁଡା ମାଂସରେ ଆତ୍ମନିର୍ଭରଶୀଳ କରିପାରିଛନ୍ତି । ହେଲେ କରୋନା ଗୁଜବ ପ୍ରଭାବରେ ବର୍ତମାନ କୁକୁଡା ଚାଷୀମାନଙ୍କ ସ୍ଥିତି ପୁରା ଦୟନୀୟ
ହୋଇପଡିଛି । ବଜାରରୁ କୁକୁଡା ଆଉ କେହି କିଣୁନାହାନ୍ତି । ରାଜ୍ୟ ସରକାର କରୋନା ବିଷୟରେ ନାନା କଥା କହୁଛନ୍ତି ହେଲେ ଏହି ଗୁଜବ ମିଛ ବୋଲି ଥରୁଟିଏ ହେଲେ କହିଲେ ନାହିଁ କି ପର୍ଯ୍ୟାପ୍ତ ଭାବେ ସଚେତନତା ସୃଷ୍ଟି କଲେ ନାହିଁ ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟରେ ୩୦ ଲକ୍ଷ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କୁକୁଡା ଚାଷ ଉପରେ ନିର୍ଭରଶୀଳ । ଫନି
ପରେ ରାଜ୍ୟରେ ବ୍ୟାପକ ଭାବରେ କୁକୁଡା ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ରାଜ୍ୟ ସରକାର ୧ ଲକ୍ଷ ରୁ ୪ ଲକ୍ଷ ଟଙ୍କା କ୍ଷତିପପୂରଣ ଦେବେ ବୋଲି ଘୋଷଣା କରିଥିଲେ । ହେଲେ କାହାକୁ ବି ଆଜି ଯାଏ ସମ୍ପୃର୍ଣ୍ଣ କ୍ଷତିପୂରଣ ମିଳିନାହିଁ । ଯାହାକୁ ବି ମିଳିଛି କେବଳ ମାତ୍ର ୧୦ ହଜାର ଟଙ୍କା  ଲେଖାଏଁ କ୍ଷତିପୂରଣ ମିଳିଛି । ବର୍ତମାନ ଫନିଠୁ କରୋନା ବଳିଗଲାଣି । ରାଜ୍ୟ ସରକାର କରୋନାକୁ ବର୍ତମାନ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଥିବାବେଳେ କୁକୁଡା ଚାଷୀଙ୍କ ପାଇଁ କିଛି କ୍ଷତିପୂରଣ ଘୋଷଣା କରିନାହାନ୍ତି କାହିଁକି? କୁକୁଡା ଚାଷୀମାନେ ଏବେ ନିଜକୁ ଅସହାୟ ମନେ କରୁଛନ୍ତି । ରାଜ୍ୟ ସରକାର ବର୍ତମାନ ଯୁଦ୍ଧକାଳିନ ଭିତିରେ କୁକୁଡା ଚାଷୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିବା ସହ ଅପପ୍ରଚାର କରାଯାଉଥିବା ଗୁଜବ ବିଷୟରେ ଲୋକମାନଙ୍କୁ ସଚେତନ କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।
କରୋନା ଗୁଜବ ପାଇଁ ସ୍ଥିତି ଏପରି ହୋଇଛି ଯେ, ଚାଷୀ ଗୋଟିଏ କୁକୁଡା ପିଛା ୮୦ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେ ତାକୁ ବିକ୍ରି  କରିନପାରିବା କାରଣରୁ ପୋତିବା ପାଇଁ ବାଧ୍ୟ ହେଉଛି । ଲେୟର ଫାର୍ମିଙ୍ଗ୍ ଏବଂ ହ୍ୟାଚେରୀ ର ସ୍ଥିତି ବି ସମାନ । ଏପରି ସ୍ଥିତିରେ ରାଜ୍ୟସରକାର  ଗୁଜବକୁ ପ୍ରତିହତ କରି କୁକୁଡା ଚାଷୀଙ୍କ ମନରେ ବିଶ୍ୱାସ ଆଣିବା ଭଳି କୌଣସି ପଦକ୍ଷେପ ନେଉ ନାହାଁନ୍ତି । ଚାଷୀର ଅର୍ଥନୈତିକ ଓ ମାନସିକ
ମନୋବଳକୁ ସୁଧାରିବା ପାଇଁ ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ବ୍ଲକ ସ୍ତରରେ ବ୍ୟବସ୍ଥା କରିବା ସହିତ ସଠିକ କ୍ଷୟକ୍ଷତି ଆକଳନ କରି ଚାଷୀକୁ କ୍ଷତିପପୂରଣ ଦେବାର ବ୍ୟବସ୍ଥା କରନ୍ତୁ । ଯିଏ ଋଣ ନେଇ କୁକୁଡା ଚାଷ କରୁଛନ୍ତି ସେମାନଙ୍କର ଋଣ ଛାଡ କରାଯାଉ । ୨୦୦ କୋଟିର ଯେଉଁ କରୋନା ବିପର୍ଯ୍ୟୟ ଫଣ୍ଡ ବ୍ୟବସ୍ଥା କରାଯାଇଛି ସେଥିରୁ କୁକୁଡା ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଶ୍ରୀ ବିଶ୍ୱାଳ ଦାବି
କରିଛନ୍ତି ।

Spread the love