ଏମ୍ସ ଭୁବନେଶ୍ୱରରେ ବେଆଇନ ନିଯୁକ୍ତି ଅଭିଯୋଗ !, କେନ୍ଦ୍ର ସରକାର ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜବାବ ମାଗିଲେ ହାଇକୋର୍ଟ
ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରରେ ବେଆଇନ ନିଯୁକ୍ତି ଅଭିଯୋଗ! । କେନ୍ଦ୍ର ସରକାର ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜବାବ ମାଗିଲେ ହାଇକୋର୍ଟ। ଏମ୍ସ ଭୁବନେଶ୍ୱରରେ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ନହେବା ଓ ଅବସର ଗ୍ରହଣ କରିସାରିଥିବା ଜଣେ ଅଧିକାରୀଙ୍କୁ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ରଖାଯିବା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଏହି ସମ୍ବେଦନଶୀଳ ମାମଲାରେ କୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଏମ୍ସ ସଂସ୍ଥା ଏବଂ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏମ୍ସ ଭୁବନେଶ୍ୱରର କାର୍ଯ୍ୟରତ ଅଧ୍ୟାପକ ଏବଂ ଫ୍ୟାକଲ୍ଟି ଆସୋସିଏସନ ପକ୍ଷରୁ ଦାୟର ଏକ ସ୍ପେଶାଲ୍ ରିଟ୍ ପିଟିସନ ଉପରେ ଶୁଣାଣି କରି ମାନ୍ୟବର ଜଷ୍ଟିସ ବି.ପି. ଶତପଥୀଙ୍କ ଏକକ ଖଣ୍ଡପୀଠ ମୁଖ୍ୟ ଆବେଦନ ଏବଂ ଅନ୍ତରୀଣ ଆବେଦନ ଉପରେ ଏହି ନୋଟିସ୍ ଜାରି କରିଛନ୍ତି ।
ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଆଦିତ୍ୟ ନାରାୟଣ ଦାସ କୋର୍ଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ତାଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ସେବା ନିବୃତ୍ତ ହେବା ପରେ ମଧ୍ୟ ତାଙ୍କୁ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ରଖି ନିର୍ଦ୍ଦେଶକଙ୍କ ସାମ୍ବିଧାନିକ ଓ ସ୍ୱାଧୀନ କ୍ଷମତା ପ୍ରୟୋଗ କରିବାକୁ ଅନୁମତି ଦେବା ଆଇନଗତ ଭାବେ ଗ୍ରହଣୀୟ ନୁହେଁ ।
ଏହା ଏମ୍ସ ଆକ୍ଟ, ୧୯୫୬ ଏବଂ ଏହାର ପରବର୍ତ୍ତୀ ସଂଶୋଧନଗୁଡ଼ିକର ସ୍ପଷ୍ଟ ଉଲ୍ଲଂଘନ କରୁଛି। ଏମ୍ସ ନିୟମାବଳୀ ୨୦୧୯ ଅନୁଯାୟୀ, ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତିରେ ବିଳମ୍ବ ହେଲେ କୌଣସି ଅନ୍ତରୀଣ ନିର୍ଦ୍ଦେଶକଙ୍କୁ ଦାୟିତ୍ୱ ଦିଆଯିବା ଉଚିତ। ଚୁକ୍ତିଭିତ୍ତିକ ଭାବେ ଜଣେ ସେବାନିବୃତ୍ତ ଅଧିକାରୀଙ୍କୁ ନୁହେଁ। ଜଷ୍ଟିସ ବି.ପି. ଶତପଥୀ ପ୍ରାଥମିକ ଭାବେ ଏହି ମାମଲାକୁ ଅତି ଜରୁରୀ ଏବଂ ଏମ୍ସ ଆକ୍ଟ ଓ ନିୟମାବଳୀର ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି।
ଜବାବ ଦାଖଲ ପାଇଁ ୨୯ ଜୁନ୍ ଶେଷ ସମୟ ସୀମା ରହିଛି। କୋର୍ଟରେ କେନ୍ଦ୍ର ସରକାର ଏବଂ ଏମ୍ସ ପକ୍ଷରୁ ସେମାନଙ୍କର ଡେପୁଟି ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ ପି.କେ. ପାଢ଼ୀ ଉପସ୍ଥିତ ରହି ଏହି ନୋଟିସ୍ ଗ୍ରହଣ କରିଛନ୍ତି। ଅନ୍ୟପଟେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପାଖକୁ ଏକ ସ୍ପେଶାଲ୍ ମେସେଞ୍ଜର ଜରିଆରେ ତୁରନ୍ତ କୋର୍ଟଙ୍କ ନୋଟିସ୍ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର, ଏମ୍ସ ସଂସ୍ଥା ଏବଂ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ସେମାନଙ୍କର ସପକ୍ଷ ଜବାବ କୋର୍ଟରେ ଦାଖଲ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
