ଅଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା, ନିଜେ ଭାଙ୍ଗ ବିଲିଡିଂ ନଚେତ ଲକ୍ଷ୍ନୌ ବିକାଶ ପ୍ରାଧିକରଣ କରିବ, ନିର୍ଦ୍ଦେଶ ଜାରି
ଲକ୍ଷ୍ନୌ : ଲକ୍ଷ୍ନୌ ଅଲିଗଞ୍ଜରେ ଥିବା କୋଚିଂ ସେଣ୍ଟରରେ ନିଆଁ ଲାଗିବା ଯୋଗୁଁ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ପାଇଁ ଏକ ଦୁଇ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛନ୍ତି । ଲକ୍ଷ୍ନୌ ବିକାଶ ପ୍ରାଧିକରଣ ଅଲ୍ଲୀଗଂଜ ବିଲିଡିଂକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଜାରି କରିଛି । ଏଥିରେ କୁହାଯାଇଛି କି, ଆପଣ ନିଜେ ବିଲିଡିଂ ଭାଙ୍ଗନ୍ତୁ ନଚେତ ଲକ୍ଷ୍ନୌ ବିକାଶ ପ୍ରାଧିକରଣ (LDA) ଏହାକୁ ଭାଙ୍ଗିବ ।
ସୂଚନା ଅନୁଯାୟୀ, ଯେଉଁ ବିଲ୍ଡିଂରେ ନିଆଁ ଲାଗିଥିଲା, ତାର ନକ୍ସା ଆବାସିକ ବିଲ୍ଡିଂ ପାଇ ପାସ୍ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେହି କୋଠାର ବ୍ୟବହାର ବ୍ୟାବସାୟିକ କାର୍ଯ୍ୟକଳାପ ପାଇଁ କରାଯାଉଥିଲା । ଏହି ବିଲ୍ଡିଂଟି ବୀରେନ୍ଦ୍ର ପ୍ରସାଦ ଶୁକ୍ଲାଙ୍କର ବୋଲି କୁହାଯାଉଛି । ବୀରେନ୍ଦ୍ର ପ୍ରସାଦ ଶୁକ୍ଲାଙ୍କୁ ରାମେଶ୍ୱରମ୍ ଇଞ୍ଜିନିୟରିଂ କଲେଜର ପରିଚାଳକ ବୋଲି ସୂଚନା ମିଳିଛି । ଏଲଡିଏର ଦଲିଲ୍ ପତ୍ରରେ ଏହି ସମ୍ପତ୍ତି ବୀରେନ୍ଦ୍ର ପ୍ରସାଦ ଶୁକ୍ଲାଙ୍କ ସହ ତାଙ୍କ ଭାଇ ସୁରେନ୍ଦ୍ର ଶୁକ୍ଲା ଏବଂ ଧୀରେନ୍ଦ୍ର ଶୁକ୍ଲାଙ୍କ ନାମରେ ପଞ୍ଜୀକୃତ ରହିଛି । ଦୁର୍ଘଟଣା ପରେ ଏବେ ସବୁ ଦିଗରୁ ଯାଞ୍ଚ କରାଯାଉଛି ।
ସେପଟେ ଘଟଣା ପରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଯୋଗୀ ଆଦିତ୍ୟନାଥ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଲକ୍ଷ୍ନୌ ଜୋନର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅଗ୍ନିକାଣ୍ଡର ପରିସ୍ଥିତି, ଅବହେଳା ଏବଂ ଉତ୍ତରଦାୟିତ୍ୱର ତଦନ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । SITକୁ ୩୭ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡ ସ୍ଥଳ ବ୍ୟକ୍ତିଗତ ଭାବରେ ଯାଞ୍ଚ କରିଥିଲେ । ପରେ ଆହତମାନଙ୍କୁ ଭେଟିଥିଲେ ଏବଂ ପୀଡିତଙ୍କ ସମ୍ପର୍କୀୟମାନଙ୍କୁ ଭେଟିଥିଲେ । ବିଳମ୍ବିତ ସନ୍ଧ୍ୟାରେ ଅଗ୍ନିଶମ ବିଭାଗ, ଗୃହ ବ୍ୟାପାର, ଲକ୍ଷ୍ନୌ ବିକାଶ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଭାଗର ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଲକ୍ଷ୍ନୌର ଅଲିଗଞ୍ଜର ପୁରନିଆରେ ଏକ କୋଚିଂ ସେଣ୍ଟରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଏଯାଏଁ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ଅଗ୍ନିକାଣ୍ଡ ପରେ ଧୂଆଁ ଚାରିଆଡେ ବ୍ୟାପିଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ତେଣୁ ଅନେକ ଛାତ୍ରଛାତ୍ରୀ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରଥମ ମହଲାରୁ ଡେଇଁ ପଡ଼ି ଆହତ ମଧ୍ୟ ହୋଇଥିଲେ । ସେମାନଙ୍କର ଚିକିତ୍ସା କରାଯାଉଛି ।
