ବିଦେଶ ଫେରାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନରୋଧ, ୨୪ ଘଣ୍ଟା ମଧ୍ୟରେ ନାମ ପଞ୍ଜିକରଣ କରନ୍ତୁ

ବିଦେଶରୁ ଫେରୁଥିବା ଓଡ଼ିଶାବାସୀ ୨୪ ଘଣ୍ଟା ମଧ୍ୟରେ ନିଜର ନାମ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅନୁରୋଧ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଟୋଲ୍‌ ଫ୍ରି ନମ୍ବର-୧୦୪ ଏବଂ ଅନ୍‌ଲାଇନ୍‌ ପୋର୍ଟାଲ୍‌ covid19.odisha.gov.in ଖୋଲିଛନ୍ତି। ରାଜ୍ୟରେ କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ସରକାର ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି।

ଏକ ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି: ପ୍ରିୟ ଭାଇ ଓ ଭଉଣୀମାନେ କରୋନା ଆଜି ସାରା ବିଶ୍ୱରେ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଦେଖାଦେଇଛି। କେବଳ ସଚେନତା ହିଁ ଏହାକୁ ରୋକି ପାରିବ। ଏଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବିଦେଶରୁ ଫେରୁଥିବା ଆମ ଭାଇଭଉଣୀଙ୍କୁ ମୋର ଅନୁରୋଧ ଆପଣମାନେ ଓଡ଼ିଶାରେ ପହଞ୍ଚିବାର ଚବିଶ ଘଣ୍ଟା ମଧ୍ୟରେ ୧୦୪ ଟୋଲ୍‌ ଫ୍ରି ନମ୍ବର ଏବଂ ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ରେଜିଷ୍ଟ୍ରେସନ୍‌ କରନ୍ତୁ। ଆପଣଙ୍କ ଟେଲିଫୋନ୍‌ ନମ୍ବର ସହିତ ଆପଣଙ୍କ ସବୁ ଇନ୍‌ଫର୍ମେସନ୍‌ ଏଥିରେ ରହିବା ଜରୁରୀ। ଆପଣଙ୍କ ପକ୍ଷରୁ ଆପଣଙ୍କ ପରିବାର ଏବଂ ବନ୍ଧୁମାନେ ମଧ୍ୟ ରେଜିଷ୍ଟ୍ରେସନ୍‌ କରି ପାରିବେ। ଆପଣଙ୍କୁ ମୋର ଅନୁରୋଧ ବିଦେଶରୁ ଫେରିବା ପରେ ନିଜ ଘରେ ୧୪ ଦିନ ଅଲଗା ରହନ୍ତୁ। କାହା ସହିତ ମିଳାମିଶ କରନ୍ତୁ ନାହିଁ। ଏଥିପାଇଁ ସରକାର ୧୫ ହଜାର ଟଙ୍କା ଇନ୍‌ସେଣ୍ଟିଭ୍‌ ଭାବେ ଦେଉଛନ୍ତି।

Spread the love