ବାପାକୁ ହତ୍ୟା କଲା ପୁଅ
ଭୁବନେଶ୍ୱର / କୁଚିଣ୍ଡା : ରାଜଧାନୀରେ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ମଞ୍ଚନାଥ ବିହାରରୁ ଆସିଛି ଏହି ଅଭିଯୋଗ । ମୃତକ ହେଉଛନ୍ତି କଣ୍ଟ୍ରାକ୍ଟର କେ ବିଶ୍ବନାଥ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିବା ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ମଞ୍ଚେଶ୍ବର ଥାନା ପୋଲିସ ସହ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରୁଛି । ବିଶ୍ବନାଥଙ୍କୁ ପୁଅ ହତ୍ୟା କରିଥିବା ସନ୍ଦେହ ହୋଇଛି । ଏନେଇ ପୋଲିସ ମୃତକଙ୍କ ମୋବାଇଲ୍ ଓ ପାରିବାରିକ କଳହ ଦିଗକୁ ଯାଞ୍ଚ କରୁଛି ।
ସେପଟେ ପୁଅର ଟାଙ୍ଗିଆ ମାଡ଼ରେ ବାପା ମୃତ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହରୁ ବାପାକୁ ହାଣିଲା ପୁଅ । ଅଭିଯୁକ୍ତ ପୁଅ କୁଚିଣ୍ଡା ଥାନାରେ ଅଟକ ରହିଛି । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ବାପ ପୁଅ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ଉଗ୍ର ରୂପ ନେଇ ହତ୍ୟାକାଣ୍ଡ ହୋଇଥିଲା । ମୃତକ ହେଲେ ଧନେଶ୍ୱର ଭୋଇ । ଧନେଶ୍ବରକୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବୁର୍ଲାକୁ ସ୍ଥାନାନ୍ତର ବେଳେ ବାଟରେ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କୁ ରକ୍ଷା କରିବାକୁ ଯାଇ ସାନ ପୁଅ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ ପୁଅ ଗୋବିନ୍ଦ ଭୋଇକୁ ଅଟକ ରଖି ଅଧିକ ତଦନ୍ତ କରୁଛି କୁଚିଣ୍ଡା ପୋଲିସ ।
