ଆଜି ୩ ରାଜ୍ୟର ବିଧାନସଭା ଉପନିର୍ବାଚନ ମତଗଣନା, ଫଳାଫଳକୁ ନେଇ ଉତ୍ସୁକତା
ଭୁବନେଶ୍ବର: ଆଜି ତିନି ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ମତଗଣନା । ବିହାର ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ଅଗ୍ନିପରୀକ୍ଷା । ତିନି ରାଜ୍ୟର ଉପନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର। କିଛି ସମୟ ପରେ ବିହାରର ବାଙ୍କୀପୁରରେ, ମଧ୍ୟପ୍ରଦେଶର ଦତିଆ ଓ ଗୁଜରାଟର ମଞ୍ଜଲପୁର ଆସନର ଫଳାଫଳକୁ ନେଇ ରାଜନୈତିକ ମହଳରେ ଉତ୍ସୁକତା ଦେଖାଦେଇଛି। ତେବେ ସବୁଠୁ ଅଧିକ ନଜର ରହିଛି ବାଙ୍କୀପୁର ଉପରେ ଏଠାରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଛନ୍ତି। ବିଜେପିର ଦୁର୍ଗ ଭାବେ ପରିଚିତ ବାଙ୍କୀପୁର ଆସନ ପୂର୍ବତନ ବିଧାୟକ ନିତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଖାଲି ପଡ଼ିଛି ।
ଏଠାରେ ପ୍ରଶାନ୍ତଙ୍କ ସହ ବିଜେପିର ନୀରଜ କୁମାର ସିହ୍ନା ଓ ଆରଜେଡିର ରେଖା କୁମାରୀ ଗୁପ୍ତାଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଛି। ମୋଟ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ମତଦାନ ହାର ପ୍ରାୟ ୩୪ ଦଶମିକ ୩ ପ୍ରତିଶତ ରହିଛି। ଯାହା ପୂର୍ବ ନିର୍ବାଚନ ତୁଳନାରେ କମ୍। ମତଦାନ ବେଳେ ଅନିୟମିତତା ଅଭିଯୋଗ ମଧ୍ୟ ଏହି ଆସନ ଚର୍ଚ୍ଚିତ କରିଛି । ସେହିପରି ମଧ୍ୟପ୍ରଦେଶର ଦତିଆ ଆସନରେ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀଙ୍କ ଅଯୋଗ୍ୟ ଘୋଷଣା ପରେ ଉପନିର୍ବାଚନ ହୋଇଛି। ଏଠାରେ ବିଜେପିର ଅଶୁତୋଷ ତିୱାରୀ ଓ କଂଗ୍ରେସର ଘନଶ୍ୟାମ ସିଂହଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିବାବେଳେ ମତଦାନ ହାର ପ୍ରାୟ ୭୧ ଦଶମିକ ୪ ପ୍ରତିଶତ ରହିଛି ।
ଏପଟେ ଗୁଜରାଟର ମଞ୍ଜଲପୁର ଆସନ ବିଜେପିର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଯୋଗେଶ ପଟେଲଙ୍କ ଦେହାନ୍ତ ପରେ ଖାଲି ହୋଇଥିଲା। ଏଠାରେ ବିଜେପିର ସତୀଶ ଗୋବିନ୍ଦଭାଇ ପଟେଲ ଓ କଂଗ୍ରେସର ଭିଖାଭାଇ ରବାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ମତଦାନ ହାର ପ୍ରାୟ ୩୭ ଦଶମିକ ୫ ପ୍ରତିଶତ ରହିଥିବାରୁ କମ୍ ଭୋଟିଂ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତିନି ଉପନିର୍ବାଚନର ଫଳାଫଳକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଜନମତର ସୂଚକ ଭାବେ ଦେଖାଯାଉଛି। ବିଶେଷକରି ବ୍ୟାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ପ୍ରଥମ ନିର୍ବାଚନୀ ପରୀକ୍ଷାର ଫଳ ଆଗାମୀ ବିହାର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଇପାରେ।
