ଭୟଙ୍କର ‘କରୋନା’ ବିପଦ, ବସ୍‌କୁ ଜଗିବ କିଏ?

 

ଅନୁଗୁଳ, : ଭୂତାଣୁ ‘କରୋନା’ର ଭୟବହତା ସବୁଠି ରହିଛି। ବିଶେଷଜ୍ଞଙ୍କ କହିବା ମୁତାବକ, ସଂକ୍ରମିତ ଲୋକଠୁ ଭୂତାଣୁ ଆସି ମାଟିରେ ରହିପାରେ। ଯଦିଓ ଏହା ବାୟୁବାହିତ ନୁହେଁ, କିନ୍ତୁ ଧାତବ ପଦାର୍ଥ ଉପରେ ଏହା ଦୀର୍ଘ ଦିନ ତିଷ୍ଠିପାରେ। ତେଣୁ ସତର୍କତା ହିଁ ମୂଳ ପ୍ରତିଷେଧକ ବ୍ୟବସ୍ଥା କୁହାଯାଉଛି। ଗୋଟିଏ ମିଟର ଦୂରତାରେ ପରସ୍ପରଠାରୁ ଅଲଗା ରହିବାକୁ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ବସ୍‌ ଯାତ୍ରାକୁ ଜଗିବ କିଏ? ପ୍ରତିଦିନ ହଜାର ଲୋକ ଏକାଠି ବସ୍‌ ଯାତ୍ରା କରୁଥିବା ବେଳେ ଏହାର ପ୍ରତିଷେଧକ ବ୍ୟବସ୍ଥା କ’ଣ? ଅନୁଗୁଳରୁ କଟକ, ଭୁବନେଶ୍ବର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼କୁ ଯାଉଥିବା ବସ୍‌ କ’ଣ ସୁରକ୍ଷିତ? ରାଜ୍ୟ ଭେଦି ଗତି କରୁଥିବା ବସ୍ ଗୁଡ଼ିକକୁ ପ୍ରତିଦିନ ସାନିଟାଇଜେସନ୍‌ କରାଯାଉଛି ତ? ଏମାନଙ୍କୁ ଜଗିବ କିଏ?

ବର୍ତ୍ତମାନ ‘କରୋନା’କୁ ନେଇ ଜନ ସଚେତନତା ବୃଦ୍ଧି ପାଉଥିବା ବେଳେ ବସ୍‌ ଯାତ୍ରା ସମ୍ପର୍କିତ ଏହି ପ୍ରଶ୍ନଗୁଡ଼ିକ ଉଙ୍କି ମାରୁଛି।
ସମାଜର ଗୋଟିଏ ବଡ଼ ସମୂହ ବସ୍‌ ଯାତ୍ରା ସହିତ ଜଡ଼ିତ। ଅନୁଗୁଳ ଜିଲ୍ଲାରେ ପ୍ରତିଦିନ ଶହେରୁ ୧୪୦ବସ୍‌ ବିଭିନ୍ନ ଇଲାକାକୁ ଯାତ୍ରା କରୁଛନ୍ତି। ଜିଲ୍ଲା ବସ୍‌ ମାଲିକ ସଂଘ ସୂଚନା ମୁତାବକ, ପ୍ରତ୍ୟହ ପ୍ରାୟ ଅଢ଼େଇ ହଜାର ଲୋକ ବସ୍‌ରେ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଛନ୍ତି। ‘କରୋନା’ ସଚେତନତା ପରେ ଯଦିଓ ବସ୍‌ ଯାତ୍ରା ପ୍ରାୟ ଏକତୃତୀୟାଂଶ ଖସିଛି ବୋଲି ଅନୁଗୁଳ ଜିଲ୍ଲା ବସ୍‌ ମାଲିକ ସଂଘ ସମ୍ପାଦକ ସନ୍ତୋଷ ମିଶ୍ର ଅନୁମାନ କରିଛନ୍ତି, ତଥାପି ଶହ ଶହ ଲୋକ ଏବେ ବି ସିଟ୍ ସହ ସିଟ୍‌ରେ ଏକାଠି ବସି ଯାତ୍ରା‌ କରୁଛନ୍ତି। ଏମିତିକି, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରୁ ଲୋକ ଅନୁଗୁଳକୁ ଆସୁଥିବା ବେଳେ ଅନୁଗୁଳରୁ ଲୋକ ମଧ୍ୟ ସେ ଅଞ୍ଚଳକୁ ଯାଉଛନ୍ତି। ରାଜଧାନୀ ଦିଲ୍ଲୀରେ ଏଥିପାଇଁ ଗାଡ଼ିମଟରକୁ ସାନିଟାଇଜ୍‌ କରାଯାଉଥିବା ବେଳେ ବିଭିନ୍ନ ରାଜ୍ୟକୁ ଗତି କରୁଥିବା ଓଡ଼ିଶାର ବସ୍‌ ପାଇଁ ପ୍ରତିଷେଧକ ବ୍ୟବସ୍ଥା କ’ଣ ବୋଲି ପ୍ରଶ୍ନ ଉଠିଛି।
ଏ ସମ୍ପର୍କରେ ବସ୍‌ ମାଲିକ ସଂଘ ସମ୍ପାଦକ ଶ୍ରୀ ମିଶ୍ର କହିଛନ୍ତି, ‘କରୋନା’ ପରଠାରୁ ଯାତ୍ରା ପାଇଁ ବସ୍‌ ବାହାରିବା ପୂର୍ବରୁ ଗାଡ଼ିକୁ ଭଲ ଭାବରେ ଡେଟଲରେ ଧୋଇବାକୁ କୁହାଯାଉଛି। ଯାତ୍ରୀଙ୍କୁ ସାନିଟାଇଜର ଏବଂ ମାସ୍କ୍‌ ଯୋଗାଇ ଦେବାକୁ ଆମେ ଚେଷ୍ଟା କରୁଛୁ। ଦୈନିକ ହଜାର ସଂଖ୍ୟାରେ ମାସ୍କ୍‌ ମଗାଯାଇଛି। ସମ୍ଭବତଃ ଆସନ୍ତାକାଲିଠାରୁ ବସ୍‌ ଯାତ୍ରୀଙ୍କୁ ସଂଘ ପକ୍ଷରୁ ମାଗଣାରେ ମାସ୍କ୍‌ ଯୋଗାଇ ଦେବୁ। ଯାତ୍ରୀମାନେ ଥରକୁ ଥର ଯେମିତି ହାତ ଧୋଇବେ ସେ ବ୍ୟବସ୍ଥା ଆହୁରି ତ୍ବରାନ୍ବିତ କରାଯିବ ବୋଲି ଶ୍ରୀ ମିଶ୍ର ‘ସମ୍ବାଦ’କୁ କହିଛନ୍ତି।

Spread the love