କେନ୍ଦ୍ରମନ୍ତ୍ରୀ ଓରାମ କାହାର ହାତ କାଟିବେ, ଗଣମାଧ୍ୟମ ପର୍ଦାଫାଶ କରୁ : କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ଭବନଠାରେ ଓପିସିସି ଗଣମାଧ୍ୟମ ତରଫରୁ ଆୟୋଜିତ ଏକ ସାମ୍ବାଦିକ ବିବୃତିରେ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗଣମାଧ୍ୟମ ସାମ୍ନାରେ ଅଶାଳୀନ ଭାଷା ପ୍ରୟୋଗ ଉପରେ କଠୋର ସମାଲୋଚନା କରିଥିଲେ l
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବର୍ତମାନ କେନ୍ଦ୍ର, ରାଜ୍ୟ, ପୁଲିସ ପ୍ରଶାସନ ଓ ବିଜେପି ଦଳର ଦୋମୁହାଁ ନିତୀ ପଦାରେ ପଡିଛି l ସଙ୍ଗୀନ ମାମଲା ଗୁଡିକୁ ଚପେଇ ଦେବାକୁ ଉଦ୍ୟମ ହେଉଛି l କିନ୍ତୁ କଂଗ୍ରେସ ଏସବୁର ପର୍ଦାଫାଶ କରିବ। କିଛିଦିନ ତଳେ ଗଣମାଧ୍ୟମ ସାମ୍ନାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ବାହାର ଦଳରୁ ଆମ ଦଳକୁ ଆସିଥିବା କିଛି ଲୋକ ମୋ ବିରୋଧରେ ଷଡଯନ୍ତ୍ର କରି ମୋତେ ମନ୍ତ୍ରୀପଦରୁ ହଟାଇବାକୁ ଚାହୁଁଛନ୍ତି l ମୋ ଭାବମୂର୍ତ୍ତିକୁ ଯିଏ କଳୁଷିତ କରିବ “ତା ହାତକୁ କାଟିଦେବି” ଓ “ତାକୁ ଜାଳି ଦେବି” ବୋଲି କହିଛନ୍ତି l କେନ୍ଦ୍ରମନ୍ତ୍ରୀ ହିସାବରେ ଯେଉଁ ଦାୟିତ୍ୱପୂର୍ଣ୍ଣ ରୁଚିସମ୍ପନ୍ନ ମତ ଦେବା କଥା ତାହା ନଦେଇ ହିଂସାତ୍ମକ ମତ ଉପସ୍ଥାପନା କରିବା ଏକ ସାଙ୍ଘାତିକ ବିଷୟ l
ଆଦିବାସୀ ନେତା ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାଙ୍କ ଉପରେ ହେଉଥିବା ଷଡଯନ୍ତ୍ର ଏବଂ ଷଡଯନ୍ତ୍ରକାରୀ କିଏ ଜାଣି ପାରୁଛନ୍ତି ତେବେ କେନ୍ଦ୍ର ଓ ରାଜ୍ୟର ଗୁଇନ୍ଦା ବିଭାଗ କେମିତି ଜାଣିପାରୁନାହାନ୍ତି l
କେନ୍ଦ୍ରମନ୍ତ୍ରୀ ଖୋଲାଖୋଲି ତାଙ୍କ ବିରୋଧରେ ଷଡଯନ୍ତ୍ର ବିଷୟ ଉତ୍ଥାପନ କରିବା ସତ୍ୱେ ମଧ୍ୟ ପୁଲିସ କାହିଁକି ଏଫଆଇଆର ରୁଜୁ କରୁନାହିଁ ? ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗକୁ ବିଜେପି ସଭାପତି ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରି ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି ସଫେଇ ଦେବା ଗ୍ରହଣୀୟ ନୁହେଁ l ଜୁଏଲ ଓରାମ ଜଣେ କେନ୍ଦ୍ରମନ୍ତ୍ରୀ, ତାଙ୍କ ବିରୁଦ୍ଧରେ କିଏ ଷଡଯନ୍ତ୍ର କରୁଛି, ସିଏ କାହା ହାତ କାଟିଦେବି ଓ ଜାଳିଦେବି କହୁଛନ୍ତି ଓଡିଶାବାସୀଙ୍କ ଜାଣିବାର ଅଧିକାର ଅଛି । କଣ ଖୁଶବୁ ଯାଦବ କିମ୍ବା ଅପରାଧୀ ପ୍ରକାଶ ପାଶୱାନ ପାଇଁ ଜୁଏଲ ବ୍ୟତିବ୍ୟସ୍ତ ହୋଇ ପଡି ଏଭଳି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ପ୍ରକାଶ ପାଶୱାନ ଭଳି ସଂଗଠିତ ଅପରାଧୀ ଦଳ ଅଛନ୍ତି ଏବଂ ମନ୍ତ୍ରୀ ଏଭଳି ଧମକ ଦେଉଛନ୍ତି ତେବେ ତାଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା 351/2 ଓ 61/1 ଅନୁଯାଇ କେଶ କାହିଁକି ଦାୟର କରାଯାଉ ନାହିଁ ? ଯଦି କେନ୍ଦ୍ରମନ୍ତ୍ରୀ ଓରାମ ସ୍ୱଚ୍ଛ ତେବେ ଖୁଶବୁ ଓ ପ୍ରକାଶ ବିରୋଧରେ ଏତଲା ଦିଅନ୍ତୁ ଓ ନିଜକୁ କଳଙ୍କମୁକ୍ତ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବିଜେପି ଦଳରେ 4/5 ଜଣ ମହାନ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ହୁଏତ ଏହାକୁ ନେଇ କିଛି ଗୋଷ୍ଠୀ କନ୍ଦଳ ଘଟିଥାଇ ପାରେ। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ଅନୁରୋଧ କରି କହିଛନ୍ତି ଯେ, ମନ୍ତ୍ରୀ କାହାର ହାତ କାଟିବେ ଓ କାହାକୁ ଜାଳିଦେବେ ଦୟାକରି ଅନୁସନ୍ଧାନ କରି ପର୍ଦାଫାଶ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *