ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି : ସୋଆ ଉପସଭାପତି

ଜାଗୋ କ୍ଲବ ପକ୍ଷରୁ ଗୁରୁ ଦିବସ ପାଳିତ
ଭୁବନେଶ୍ୱର, ସେପ୍ଟେମ୍ବର ୫: ମଣିଷର ଜୀବନ ଗଠନ ଓ ତା’ର ଭବିଷ୍ୟତର ଭିତିଭୂମି ପ୍ରସ୍ତୁତ କରିବାରେ ଗୁରୁମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । ସୋଆର ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ଜାଗୋ’ କ୍ଲବ ପକ୍ଷରୁ ଶନିବାର ଆୟୋଜିତ ଗୁରୁ ଦିବସ ପାଳନ ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ଜାଗୋ କ୍ଲବ ସହ ଜଡ଼ିତ ସୋଆର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରକୃତ ଗୁରୁ ଭାବେ ଅଭିହିତ କରିଥିଲେ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଥିଲେ ଯେ ୨୦୦୭ ମସିହାରେ ଆରମ୍ଭ ହୋଇଥିବା ‘ଜାଗୋ’ ଆଜି ଏକ ମହତ୍ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଆରମ୍ଭରୁ ସୋଆର ଛାତ୍ରଛାତ୍ରୀମାନେ କ୍ୟାମ୍ପସ ନିକଟବର୍ତୀ ବସ୍ତିରେ ବସବାସ କରୁଥିବା ଆର୍ôଥକ ଓ ସାମାଜିକ ଭାବେ ଅନଗ୍ରସର ପରିବାରର କୁନି କୁନି ଶିଶୁମାନଙ୍କୁ କ୍ୟାମ୍ପସକୁ ଆଣି ଶିକ୍ଷାଦାନ କରିବା ସହ ସେମାନଙ୍କର ସାମଗ୍ରିକ ବିକାଶ ଦିଗରେ ସହାୟତା ଯୋଗାଇ ଆସୁଛନ୍ତି । ଦୀର୍ଘ ବର୍ଷ ଧରି ନିଷ୍ଠା ଓ ସମର୍ପଣର ସହ ଏହି ମହତ୍ କାର୍ଯ୍ୟକୁ ଆଗେଇ ନେଇଥିବା ଜାଗୋର ଛାତ୍ରଛାତ୍ରୀ ସଦସ୍ୟମାନଙ୍କ ଅବଦାନକୁ ପ୍ରଶଂସା କରି ଶ୍ରୀମତି ଦାସ କହିଥିଲେ ଯେ ସେମାନେ କେବଳ ଶିକ୍ଷାଦାନ କରୁନାହାନ୍ତି ବରଂ ଅନେକ ଶିଶୁଙ୍କ ଜୀବନରେ ଆଶା ଓ ସମ୍ଭାବନାର ଆଲୋକ ପ୍ରଜ୍ୱଳିତ କରୁଛନ୍ତି । ଗୁରୁଦିବସ ଅବସରରେ ସେ ସମସ୍ତ ଜାଗୋ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଜାଗୋ କ୍ଲବର ପ୍ରଶଂସନୀୟ କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ । ସୋଆର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଜଣେ ଜଣେ ଗୁରୁ ଭାବେ ଅଭିହିତ କରି ସେ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ହେଉଛି ଜ୍ଞାନର ଆଦାନପ୍ରଦାନ ଓ ସାମୂହିକ ଶିକ୍ଷାର କେନ୍ଦ୍ର ।
ପରସ୍ପରଠାରୁ ଶିକ୍ଷା ଲାଭ ଏବଂ ଜ୍ଞାନର ଆଦାନପ୍ରଦାନ ଦ୍ୱାରା ନୂତନ ଚିନ୍ତାଧାରାର ବିକାଶ ହେବା ସହ ଅଭିନବ ଗବେଷଣାର ସମ୍ଭାବନା ସୃଷ୍ଟି ହୋଇଥାଏ । ତେଣୁ ବିଶ୍ୱବିଦ୍ୟାଳରେ ପ୍ରତ୍ୟେକ ଛାତ୍ରଛାତ୍ରୀ କୌଣସି ନା କୌଣସି ଭାବରେ ଅନ୍ୟମାନଙ୍କ ପାଇଁ ଗୁରୁର ଭୂମିକା ନିର୍ବାହ କରିଥାନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିଇଆରର ଡିନ୍ ପ୍ରଫେସର ପି.କେ ସାହୁ, ସୋଆର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ) ପ୍ରଫେସର ଜେ.କେ. ନାଥ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଗୁରୁ ଦିବସର ମହତ୍ୱ ଉପରେ ଆଲୋକପାତ କରିବା ସହ ‘ଜାଗୋ’ କ୍ଲବର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ଗୁରୁ ଦିବସ ଅବସରରେ ଶନିବାର ସକାଳେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ସଦସ୍ୟ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଜାଗୋର ଶିଶୁମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀମାନଙ୍କୁ ଶ୍ରୀମତି ଦାସ ଓ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୋଆର ଛାତ୍ରଛାତ୍ରୀ, ଜାଗୋ ସଦସ୍ୟ ଏବଂ କୁନି କୁନି ଶିଶୁମାନଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *