ପାରାଦୀପ ଉପକୂଳରେ ବଡ଼ ସମୁଦ୍ର ଦୁର୍ଘଟଣା ଟଳିଲା, ୨୩ ନାବିକଙ୍କୁ ସୁରକ୍ଷା ଦେଲା ଭାରତୀୟ ତଟରକ୍ଷୀ ବାହିନୀ
ଭୁବନେଶ୍ୱର : ପାରାଦୀପ ଉପକୂଳରେ ଟଳିଲା ବଡ଼ ସମୁଦ୍ର ଦୁର୍ଘଟଣା । ୨୩ ନାବିକଙ୍କୁ ସୁରକ୍ଷା ଦେଲା ଭାରତୀୟ ତଟରକ୍ଷୀ ବାହିନୀ । ପାରାଦୀପ ଉପକୂଳ ନିକଟରେ ଏମ୍ ଟି ସିଗଲ୍-୯ ନାମକ ରାସାୟନିକ ଟ୍ୟାଙ୍କରରୁ ଆସିଥିବା ଜରୁରୀ ସଙ୍କେତ ପରେ ଭାରତୀୟ ତଟରକ୍ଷୀ ବାହିନୀ (ICG) ଏକ ତ୍ୱରିତ ଉଦ୍ଧାର ଅଭିଯାନ ଚଳାଇ ବଡ଼ ଦୁର୍ଘଟଣାକୁ ଟାଳି ଦେଇଛି ।
୯ ହଜାର ମେଟ୍ରିକ୍ ଟନ୍ ପାମ୍ ଅଏଲ୍ ବୋଝେଇ ଜାହାଜଟିରେ ୨୩ ଜଣ କ୍ରୁ ସଦସ୍ୟ ଥିଲେ । ଜାହାଜଟି ବିପଦଜନକ ଭାବେ ଗୋଟିଏ ପାର୍ଶ୍ୱକୁ ଢଳିଯାଇଥିବା ବେଳେ ICGS ବିଶ୍ୱସ୍ତର ବିଶେଷଜ୍ଞ ଡ୍ୟାମେଜ୍ କଣ୍ଟ୍ରୋଲ୍ ଟିମ୍ ଜାହାଜ ଉପରକୁ ଚଢ଼ି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଟିମ୍ ସବମର୍ସିବଲ୍ ପମ୍ପ ବ୍ୟବହାର କରି ବାଲାଷ୍ଟ ଟ୍ୟାଙ୍କରୁ ପାଣି ବାହାର କରିବା ସହ କ୍ଷତିଗ୍ରସ୍ତ ସମୁଦ୍ର ପାଇପ୍ ଲାଇନକୁ ସିଲ୍ କରି ଜାହାଜକୁ ସ୍ଥିର କରିଥିଲେ ।
ପରିବେଶ ପ୍ରଦୂଷଣ ରୋକିବା ଏବଂ ଘଟଣାସ୍ଥଳ ଉପରେ ନଜର ରଖିବା ପାଇଁ ତଟରକ୍ଷୀ ବାହିନୀର ଏକ ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ଓ ଏକ ଅଫସୋର ପାଟ୍ରୋଲ୍ ଭେସେଲକୁ ମଧ୍ୟ ନିୟୋଜିତ କରାଯାଇଥିଲା । ICG ଡୋର୍ନିଅର ବିମାନ ଯାଞ୍ଚ କରି ସମୁଦ୍ରରେ ଦେଖାଯାଇଥିବା ସାମାନ୍ୟ ପାମ୍ ଅଏଲ୍ ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯାଇଥିବା ନିଶ୍ଚିତ କରିଛି । ବର୍ତ୍ତମାନ ଜାହାଜଟିକୁ ସୁରକ୍ଷିତ ଭାବେ ଟୋ କରି ପାରାଦୀପ ବନ୍ଦର ଆଡ଼କୁ ଅଣାଯାଉଛି । ପରିସ୍ଥିତି ଉପରେ ଭାରତୀୟ ତଟରକ୍ଷୀ ବାହିନୀ ନିରନ୍ତର ନଜର ରଖିଛି ।
