ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ମୟୂରଭଞ୍ଜ: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ଗାଡ଼ି । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ୧୮ ନମ୍ବର ଜାତୀୟ ରାଜପଥ ଦାନ୍ତିଆମୁହାଁ ଠାରେ ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । ରାସ୍ତା ମଝିରେ ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ଟାଟା ଏସି ଗାଡ଼ି । ଖବର ପାଇ ବେତନଟୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି । ଗାଡ଼ିଟି ବାରିପଦା ପଟୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ।
ସୂଚନା ଅନୁଯାୟୀ, ଟାଟା ଏସି ଗାଡ଼ିଟି ବାରିପଦା ପଟୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ଦାନ୍ତିଆମୁହାଁ ନିକଟରେ ଚଳନ୍ତା ଗାଡ଼ିରେ ହଠାତ୍ ନିଆଁ ଲାଗିଯାଇଥିଲା । ଗାଡ଼ିରେ ନିଆଁ ଲାଗିବା ଦେଖି ଚାଳକ ତୁରନ୍ତ ନିଜକୁ ସୁରକ୍ଷିତ କରିଥିଲେ । ଫଳରେ ଏକ ବଡ଼ ଅଘଟଣରୁ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଜାତୀୟ ରାଜପଥରେ ଚଳନ୍ତା ଗାଡ଼ିରେ ନିଆଁ ଲାଗିବା ଘଟଣାକୁ ନେଇ କିଛି ସମୟ ପାଇଁ ଉକ୍ତ ଅଞ୍ଚଳରେ ଚିନ୍ତାର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଡ୍ରାଇଭରଙ୍କ ଜୀବନ ରକ୍ଷା ପାଇଥିବାରୁ ଏକ ବଡ଼ ବିପଦ ଟଳିଯାଇଛି । ଗାଡ଼ିରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ ।
