୧୫ ବର୍ଷରେ ପାଦ ଦେଲା ସୋଆ କମ୍ୟୁନିଟି ରେଡିଓ
ଭୁବନେଶ୍ୱର, ଅକ୍ଟୋବର ୧୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ୧୫ ବର୍ଷରେ ପାଦ ଥାପିଛି । ଗୁରୁବାର ରେଡ଼ିଓ ଷ୍ଟେସନ୍ ପରିସରରେ ଏହାର ବାର୍ଷିକ ଉତ୍ସବ ପାଳନ କରାଯାଇଛି । ୧୪ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ସମାଜ ପ୍ରତି ସଚେତନତା, ଶୈକ୍ଷିକ ଓ ସୂଚନା ପ୍ରଦାନକାରୀ ମାଧ୍ୟମ ଭାବେ କାର୍ଯ୍ୟଧାରାକୁ ଜାରି ରଖିବା ନେଇ ସୋଆ ରେଡ଼ିଓ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ଯୋଗ ଦେଇ ରେଡ଼ିଓର କାର୍ଯ୍ୟଧାରାକୁ ନେଇ ଏହାର ଟିମ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଓଡ଼ିଶା କମ୍ୟୁନିଟି ରେଡ଼ିଓ ଆସୋସିଏସନ୍ର ସଭାପତି ଡକ୍ଟର ଶିଶିର ଦାସ ଯୋଗ ଦେଇ ଯୁବ ସମାଜକୁ ସଚେତନ କରାଇବା ଦିଗରେ ସୋଆ ରେଡ଼ିଓ ପ୍ରମୁଖ ଭୂମିକା ନେଉଛି ବୋଲି କହିଥିଲେ । ସୋଆ ରେଡ଼ିଓକୁ ଆହୁରି ଦାୟିତ୍ୱ ସମ୍ପନ୍ନ ଓ ସଚେତନାମୂଳକ କରାଇବା ଦିଗରେ କାର୍ଯ୍ୟଧାରା ଜାରି ରହିବ ବୋଲି କାର୍ଯ୍ୟକ୍ରମ ଅବସରରେ ସୋଆ କମ୍ୟୁନିଟି ରେଡ଼ିଓର ଇନ୍ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଥିଲେ । କାର୍ଯ୍ୟକ୍ରମରେ ସୋଆର ପ୍ରଫେସର ମଧୁବ୍ରତା ମହାନ୍ତି, କମ୍ୟୁନିଟି ରେଡ଼ିଓର କର୍ମକର୍ତାମାନେ ଉପସ୍ଥିତ ଥିଲେ ।
