ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ: ପୀଠରେ ମହାମାୟାଙ୍କ ମହାସପ୍ତମୀ, ମଣ୍ଡପରେ ମହାଷଷ୍ଠୀ
ଯାଜପୁର: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଆଜି ମଣ୍ଡପରେ ମହାଷଷ୍ଠୀ ପୂଜା । ମହାଶକ୍ତି ମା’ ଦୁର୍ଗାଙ୍କ ଆଗମନରେ ଗଗନପବନ ପ୍ରକମ୍ପିତ। ଆଜି ପୀଠେ ମହାସପ୍ତମୀ ପୂଜା । ଚାରିଆଡ଼େ ଭକ୍ତି, ଆଧ୍ୟାତ୍ମିକତା ଓ ଶକ୍ତି ଉପାସନାର ଅପୂର୍ବ ମାହୋଲ । ଦେବୀ ଦୁର୍ଗାଙ୍କୁ ଆବାହନ ଓ ଜାଗ୍ରତ କରିବା ପାଇଁ ବିଶେଷ ପୂଜା । ପୂଜାର ଶୁଭାରମ୍ଭ ସଂକଳ୍ପ। ମା’ ଦୁର୍ଗାଙ୍କୁ ବେଲ ଗଛ ମୂଳେ ଆବାହନ କରି ପୂଜା ମଣ୍ଡପକୁ ସ୍ୱାଗତ କରିବା ଏବଂ ମା’ଙ୍କ ଚକ୍ଷୁଦାନ ରୀତି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମାହୋଲ୍ ଜମିବାରେ ଲାଗିଛି । ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୧୯୦ ରୁ ଅଧିକ ମଣ୍ଡପରେ ମା’ଙ୍କ ଆବାହନ କରାଯାଉଛି ।
ଏପଟେ ସପ୍ତମୀ ପାଇଁ କ୍ଷେତ୍ରେଶ୍ୱରୀ ମାଆ ବିରଜାଙ୍କର ପୀଠ ଚଳଚଞ୍ଚଳ । ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ମହାସପ୍ତମୀ । ଏଥି ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଞ୍ଚଳ । ଭୋରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମାଙ୍କ ସ୍ନାନ କରାଯାଇଛି ।
ନବରାତ୍ର ଅବସରରେ ନଅ ଦିନ ମାଙ୍କ ଗର୍ଭଗୃହରେ ପ୍ରବେଶ କରି ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ଭକ୍ତମାନଙ୍କୁ ସୁଯୋଗ ମିଳିଥାଏ । ଏହି ପାଇଁ ସକାଳୁ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ରାତିରେ ହୋମଯଜ୍ଞ ସହ ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ପ୍ରତିପଦ ଠାରୁ ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇଛି ।
