ସମ୍ ନର୍ସିଂ କଲେଜ -୧ ନୂତନ ବର୍ଷ ନର୍ସିଂ ଛାତ୍ରଛାତ୍ରୀମାନଙ୍କ ନିମେନ୍ତ ଓରିଏଂଟେସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ନଭେମ୍ବର ୧୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ନର୍ସିଂ କଲେଜ-୧ ପକ୍ଷରୁ ବିଏସ୍‌ସି (ନର୍ସିଂ), ପୋଷ୍ଟ ବେସିକ୍ ବିଏସ୍‌ସି (ନର୍ସିଂ) ଓ ଏମ୍‌ଏସ୍‌ସି (ନର୍ସିଂ) ପାଠ୍ୟକ୍ରମରେ ନାମ ଲେଖାଇଥିବା ୨୦୨୬– ୨୦୨୭ ବ୍ୟାଚର ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୁରୁବାର ଓରିଏଂଟେସନ୍ ପ୍ରୋଗ୍ରାମ୍ ଆୟୋଜିତ ହୋଇଯାଇଛି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନର୍ସିଂ ଏକ ମହାନ୍ ଓ ମହତ୍ୱପୂର୍ଣ୍ଣ ବୃତି ବୋଲି କହିଥିଲେ । ସେହିପରି ତ୍ୟାଗ, ସମୟାନୁବର୍ତିତା, କଠିନ ପରିଶ୍ରମ, ଅଧ୍ୟବସାୟ, ଶୃଙ୍ଖଳା ହିଁ ଛାତ୍ରଛାତ୍ରୀ ଜୀବନର ମୂଳମନ୍ତ୍ର ହେବା ଉଚିତ୍ ବୋଲି ପ୍ରଫେସର ମହାନ୍ତି କହିଥିଲେ ।
କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନର୍ସିଂ ବୃତି ପ୍ରତି ଛାତ୍ରଛାତ୍ରୀମାନେ ବର୍ତମାନ ଅଧିକ ଆକୃଷ୍ଟ ହେଉଥିବା କହିଥିଲେ ।
ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟ କେବଳ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଅଧ୍ୟୟନ କରିବାରେ ଧ୍ୟାନ ଦେଇ ନଥାଏ ବରଂ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗ ପ୍ରତି ମଧ୍ୟ ଧ୍ୟାନ ରଖିଥାଏ । କେବଳ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ଶିକ୍ଷାର ଏକମାତ୍ର ଉଦ୍ଦେଶ୍ୟ ନୁହେଁ । ଜଣେ ଛାତ୍ରଛାତ୍ରୀ ନିଜର ଚରିତ୍ର ଗଠନ, ଆତ୍ମବିଶ୍ୱାସ ବୃଦ୍ଧି, ଶୃଙ୍ଖଳା ଏବଂ ଦାୟିତ୍ୱବୋଧର ବିକାଶ ମଧ୍ୟ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଜୀବନରେ ନିଜସ୍ୱ ପରିଚୟ ଓ ସ୍ୱତନ୍ତ୍ର ସ୍ଥାନ କରିବାକୁ ପ୍ରଫେସର ଦାସ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଟ୍ରେନ୍‌ଡ ନର୍ସେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଟିଏନ୍‌ଆଇ) ଓଡିଶା ଶାଖାର ସଭାପତି ପ୍ରଫେସର ଅନୁସୟା ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ନୂତନ ବର୍ଷର ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ମଧ୍ୟ ପ୍ରଦାନ କରିଥିଲେ। ହସ୍ପିଟାଲ୍‌ରେ ରୋଗୀଟିଏ ନର୍ସମାନଙ୍କର ଚିକିତ୍ସା ଓ ସେବା ଦ୍ୱାରା ହିଁ ସୁସ୍ଥତା ପାଇଥାଏ । କରୋନା ମହାମାରୀ ସମୟରେ ସେମାନଙ୍କର ତ୍ୟାଗ ସମ୍ପୂର୍ଣ୍ଣ ସମାଜ ଉପଲବ୍ଧି କରିଛି ବୋଲି ସେ କହିଥିଲେ । ସମ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଦେବା ସହିତ ଏହି ବୃତିର ମହତ୍ୱ ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଏସଏନ୍‌ସିର ଆସିଷ୍ଟାଂଟ ପ୍ରଫେସର ଶୁଭସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଦିନ ଧରି ନବାଗତ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମ ବିଷୟରେ ବିଭିନ୍ନ ଆଲୋଚନା ଚକ୍ର ମାଧ୍ୟମରେ ଅବଗତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *