ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ୫.୧ ତୀବ୍ରତାର ଝଟକା
ଆଫଗାନିସ୍ତାନ: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂକମ୍ପ ଝଟକା । ସୋମବାର ଭୋର୍ ସମୟରେ ଦୋହଲିଲା ଧରା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ଭୂପୃଷ୍ଠଠାରୁ ୧୭୯ କିଲୋମିଟର ଗଭୀରତାରେ ରହିଥିଲା ଏହାର କେନ୍ଦ୍ରସ୍ଥଳ । ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ ।
ଦିନକୁ ଦିନ ବଢ଼ୁଛି ଭୂକମ୍ପର ଭୟ । ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ବାରମ୍ବାର ଭୂକମ୍ପ ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ସୋମବାର ଭୋରରୁ ଆଫଗାନିସ୍ତାନରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି (NCS)ର ସୂଚନା ଅନୁଯାୟୀ, ନଭେମ୍ବର ୧୬ ତାରିଖ ସୋମବାର ଭୋର୍ ୩ଟା ୭ ମିନିଟରେ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଥିବା ବେଳେ ଭୂପୃଷ୍ଠଠାରୁ ୧୭୯ କିଲୋମିଟର ଗଭୀରତାରେ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ତେବେ ଏହି ଭୂକମ୍ପ ଯୋଗୁଁ କୌଣସି ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ଖବର ଏଯାଏଁ ମିଳିନାହିଁ ।
ତେବେ ଆଫଗାନିସ୍ତାନ ପାଇଁ ଭୂକମ୍ପ ନୂଆ ଘଟଣା ନୁହେଁ । ଗତ ସେପ୍ଟେମ୍ବର ମାସରେ ମଧ୍ୟ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେପ୍ଟେମ୍ବର ୭ ତାରିଖରେ ୪.୧ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ଏହାର ଦୁଇଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୯ ତାରିଖରେ ପୁଣି ୪.୨ ତୀବ୍ରତାର ଭୂକମ୍ପ ହୋଇଥିଲା ।
ପୃଥିବୀର ଅଭ୍ୟନ୍ତରରେ ଥିବା ଟେକ୍ଟୋନିକ୍ ପ୍ଲେଟଗୁଡ଼ିକର ଗତିବିଧି ହିଁ ଭୂକମ୍ପର ମୁଖ୍ୟ କାରଣ । ଏହି ପ୍ଲେଟଗୁଡ଼ିକ ପରସ୍ପର ସହ ଧକ୍କା ହେବା କିମ୍ବା ଘର୍ଷଣ ହେବା ଯୋଗୁଁ ଭୂପୃଷ୍ଠ ତଳେ ଶକ୍ତି ସଞ୍ଚିତ ହୋଇ ରହିଥାଏ । ଏହି ଶକ୍ତି ହଠାତ୍ ମୁକ୍ତ ହେଲେ ପୃଥିବୀରେ କମ୍ପନ ସୃଷ୍ଟି ହୁଏ । ଯାହାକୁ ଆମେ ଭୂକମ୍ପ ବୋଲି କହିଥାଉ । ତେବେ ଆଫଗାନିସ୍ତାନରେ ହୋଇଥିବା ଏହି ଭୂକମ୍ପ ପରେ କୌଣସି ବଡ଼ କ୍ଷୟକ୍ଷତିର ଖବର ନଥିବାରୁ ଆଶ୍ୱସ୍ତି ମିଳିଛି ।
