ବଳ ଗୋଟାଉଛି ବାତ୍ୟା ‘ଆକଭାନ୍’, ଆଜି ନେଇପାରେ ଭୀଷଣ ବାତ୍ୟାର ରୂପ

ଭୁବନେଶ୍ବର: ବଳ ଗୋଟାଉଛି ବାତ୍ୟା ‘ଆକଭାନ୍’ । ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଆକଭାନ୍’। ଆଜି ନେଇପାରେ ଭୀଷଣ ବାତ୍ୟାର ରୂପ । ୧୯ରେ ଅତି ଭୀଷଣ ବାତ୍ୟା ହେବା ଆଶଙ୍କା। ଚେନ୍ନାଇ ଠାରୁ ୬୧୦ କିଲୋମିଟର ପୂର୍ବରେ, ମଛଲିପଟ୍ଟନମ୍ ଠାରୁ ୬୬୦ କିଲୋମିଟର ଦକ୍ଷିଣ-ପୂର୍ବରେ,ଗୋପାଳପୁର ଠାରୁ ୭୯୦ କିଲୋମିଟର ଦକ୍ଷିଣରେ ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେଉଛି ବାତ୍ୟା ‘ଆକଭାନ୍’ । ଆଜି ଏହା ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହାପରେ ୧୯ ତାରିଖରେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟାର ଗତିପଥ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ରହିଥିବା ବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ବାତ୍ୟା ଆନ୍ଧ୍ରପ୍ରଦେଶ ଓ ୟାନମ ଉପକୂଳର ନେଲୋର ଏବଂ ଟୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନିରନ୍ତର ନଜର ରଖିଛି । ଓଡ଼ିଶାରେ ବାତ୍ୟାର ସିଧାସଳଖ ମାଡ଼ ନେଇ ବର୍ତ୍ତମାନ ପୂର୍ବାନୁମାନ ନଥିଲେ ମଧ୍ୟ ବର୍ଷା ଓ ପବନର ପ୍ରଭାବ ଦେଖିବାକୁ ମିଳିପାରେ । ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା ଓ ପୁରୀ ସମେତ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖରୁ ବର୍ଷାର ପ୍ରଭାବ ଆରମ୍ଭ ହୋଇ ୧୯ ଓ ୨୦ ତାରିଖରେ ଏହାର ପରିମାଣ ବଢ଼ିପାରେ । ଗଞ୍ଜାମ ଓ ଗଜପତି ପାଇଁ ଏହି ପୂର୍ବାନୁମାନ ବିଶେଷ ଗୁରୁତ୍ୱ ରଖୁଛି ।

ନିକଟରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗଞ୍ଜାମର ଆସିକା, ସୋରଡ଼ା ଓ ଭଞ୍ଜନଗର ସମେତ ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିଲା । ଏଭଳି ସ୍ଥିତିରେ ପୁଣି ପ୍ରବଳ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ନଦୀନାଳର ଜଳସ୍ତର ବଢ଼ିବା ଆଶଙ୍କା ରହିଛି । ଅନ୍ୟପଟେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ନଭେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ପାଣିପାଗ ସ୍ଥିତି ଅନୁସାରେ ପରବର୍ତ୍ତୀ ସତର୍କତା ମଧ୍ୟ ଜାରି କରାଯାଇପାରେ। ବର୍ଷା ଆଶଙ୍କା ଯୋଗୁଁ ଚାଷୀଙ୍କ ଚିନ୍ତା ମଧ୍ୟ ବଢ଼ିଛି । ବିଶେଷକରି ଅମଳ ଅପେକ୍ଷାରେ ଥିବା ଧାନ ଫସଲ ପ୍ରଭାବିତ ହୋଇପାରେ । ତେଣୁ ପାଚିଲା ଧାନକୁ ସୁରକ୍ଷିତ ରଖିବା ସହ କ୍ଷେତରେ ପାଣି ଜମିବା ନେଇ ସତର୍କ ରହିବା ଆବଶ୍ୟକ। ଏବେ ସମସ୍ତଙ୍କ ନଜର ବାତ୍ୟା ‘ଆକଭାନ୍’ର ପରବର୍ତ୍ତୀ ଗତିପଥ ଉପରେ । ଆନ୍ଧ୍ର ଉପକୂଳରେ ଏହା କେତେ ଶକ୍ତିରେ ସ୍ଥଳଭାଗ ଅତିକ୍ରମ କରିବ ଏବଂ ଓଡ଼ିଶାରେ କେତେ ବର୍ଷା ହେବ, ତାହା ଆଗାମୀ ପାଣିପାଗ ବୁଲେଟିନ୍ ରୁ ଅଧିକ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *