କୃଷି ଏବଂ କୃଷକଙ୍କ ହିତ ପାଇଁ ମୋଦି ସରକାର ସର୍ବଦା ଚେଷ୍ଟିତ : ବିଜେପି

ଭୁବନେଶ୍ୱର,  କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ କେନ୍ଦ୍ର ସରକାର ଓ  ରାଜ୍ୟସରକାରଙ୍କ ସମେତ ଦେଶର ସମସ୍ତ ଜନତା ଏକାଠି ହୋଇଛନ୍ତି । ଲକ ଡାଉନ ସମୟରେ ଦେଶର ସମସ୍ତ ଗରୀବ ଜନତାଙ୍କୁ ଖାଦ୍ୟ ଏବଂ ଆର୍ଥୀକ ସୁରକ୍ଷା ଯୋଗାଇ ଦେବାପାଇଁ ପୂର୍ବରୁ ମୋଦି ସରକାର ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହା ସହ ଦେଶର ୮ କୋଟି ୫୯ ଲକ୍ଷ ଚାଷୀଙ୍କୁ ୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବାର ନିଷ୍ପତି ହୋଇଛି ।

ଆଉ ଏବେ ଦେଶର ସମସ୍ତ ଶସ୍ୟ ମଣ୍ଡି ଖୋଲିବା, ସାର ଓ କୀଟନାଶକ ଦୋକାନ ଖୋଲା ରହିବା, କୃଷି ଜାତ ସାମଗ୍ରୀ ଓ ଯନ୍ତ୍ରପାତି ପ୍ରସ୍ତୁତ କରୁଥିବା ୟୁନିଟ୍ ଚାଲୁରଖିବା ଏବଂ ବିନା ଦ୍ୱିଧାରେ ଚାଷଜମିକୁ ଚାଷୀ ଯାଇପାରିବାର ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଚାଷ ଓ ଚାଷୀଙ୍କ ପାଇଁ ଏଭଳି ନିଷ୍ପତି ନିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଅର୍ପଣ କରିଛନ୍ତି ରାଜ୍ୟ ସଭାପତି  ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଲକ ଡାଉନ ସମୟରେ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ସହ ଜଡିତ ପ୍ରସଙ୍ଗ ଉପରେ  ଧ୍ୟାନ ରଖିଥିଲେ । ଏଭଳି ନିଷ୍ପତି ପରେ ଚାଷୀ ବିନା କୌଣସି କଟକଣାରେ ନିଜ ଜମିକୁ ଯାଇ ଫସଲ କାଟିବା ସହ ଧାନକୁ
ନେଇ ମଣ୍ଡିରେ ପହଂଚାଇ ପାରିବ । ଓଡିଶାର ଚାଷୀ ଏହାର ଫାଇଦା ନେଇ ପାରିବେ । ବିଶେଷ କରି ରବି ଚାଷ କରିବାକୁ
ଥିବା ଚାଷୀ ମାନେ ସେମାନଙ୍କର ଚାଷ କାର୍ଯ୍ୟ କରିପାରିବେ । ସେହିପରି ଚାଷୀମାନେ ସେମାନଙ୍କ ଉତ୍ପାଦିତ ମୁଗ, ଧାନ ଭଳି
ଅନ୍ୟାନ୍ୟ ଫସଲକୁ ମଣ୍ଡି ଓ ବଜାରରେ ନିଦ୍ୱନ୍ଦ୍ୱରେ ବିକ୍ରି କରିପରିବେ । ସାର ଓ କୀଟନାଶକ ଦୋକାନ ଖୋଲା ରହିବା ଏବଂ  କୃଷି ଜାତ ସାମଗ୍ରୀ ପ୍ରସ୍ତୁତ କରୁଥିବା ୟୁନିଟ୍ ଚାଲୁରଖିବା ଦ୍ୱାରା ଚାଷୀମାନେ ସେମାନଙ୍କ ଚାଷକୁ ସଠିକ୍ ଢଙ୍ଗରେ ଓ
ସୁଚାରୁରୂପେ କରିପାରିବେ ।

ଏହାସହ କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ମୁହଁରେ ମାକ୍ସ ଲଗାଇବା ସହ ବାରମ୍ବାର ହାତ  ଧୋଇ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ । କୋରନା ଭଳି ଏକ ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଲଢେଇ କରିବା ଏବଂ  ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ପାଳନ କରି ପୂରା ୨୧ ଦିନ ଘରେ ରହି କରୋନାର ମୁକାବିଲା କରିବା ପାଇଁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ପୁଣି ଥରେ ଅନୁରୋଧ କରିଛନ୍ତି ।

Spread the love