ଆମେରିକା ପରେ ବ୍ରିଟେନ ଦେଲା ଧମକ, ଏକ ଘରିଆ ହେବ ଚୀନ

 କରୋନା ଜନକ ଚୀନକୁ ଏବେ ଘାରିଛି ଏକଘରିଆ ଭୟ । ଏବେ ବିଭିନ୍ନ ଆଳ ଦେଖାଇ ମିଠା ମିଠା କଥା କହି ଭାରତକୁ ନିଜର କରିବାକୁ ଚେଷ୍ଟା ଚଳାଇଛି । ସାରା ବିଶ୍ୱରେ କୋରୋନା ପାଇଁ ଚୀନକୁ ସବୁ ରାଷ୍ଟ୍ର ଘେରିଥିବାବେଳେ ଭାରତ ପାଖରେ ଶରଣ ପଶିଛି ଚାଇନା । ଆମେରିକା ଟାର୍ଗେଟରେ ଚୀନଥିବାବେଳେ ଏବେ ବ୍ରିଟେନ ମଧ୍ୟ ଧମକ ଦେଇଛି । ମହାମାରୀ କୋରୋନାରୁ ବିଶ୍ୱବାସୀ ରକ୍ଷା ପାଇବା ପରେ ଚୀନ କଥା ବୁଝାଯିବା ବୋଲି ବ୍ରିଟେନ ଖୋଲାଖୋଲି କହିସାରିଛି । ଏଣୁ ଭାରତ ହିଁ ଏକମାତ୍ର ସାହା ଭରସା ଭାବି ଚୀନ ତାର କୂଟନୈତିକ ଜାଲ ପକାଇବାକୁ ଉଦ୍ୟମ ଆରମ୍ଭ କରିଛି ।

ବୁଧବାର ଦିନ ଭାରତ ଓ ଚୀନ ମଧ୍ୟରେ ରାଜନୈତିକ ସମ୍ବନ୍ଧ ସ୍ଥାପନାକୁ 70 ବର୍ଷ ପୁରିଛି । ଏହି ଦିବସର ଫାଇଦା ଉଠାଇ ଚୀନର ଜଣେ ବରିଷ୍ଠ ଅଧିକାରୀ ଭାରତ ଓ ଚୀନର ସଂପର୍କକୁ ନେଇ ବହୁତ ପ୍ରଶଂସା କରିଥିଲେ । ଆଉ ଯେତେବେଳେ କୋଭିଡ-19 ପାଇଁ ସବୁ ଦେଶ ଚାଇନା ବିରୋଧରେ ସ୍ୱର ଉଠାଉଛନ୍ତି । ସେତେବେଳେ ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନୟିଙ୍ଗ ଉଭୟ ଦେଶ ମଧ୍ୟରେ ନିବିଡ ସଂପର୍କର ସିଡି ପକାଇବା ପାଇଁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି, ମୋର ଆଶା ରହିଛି, ମହାମାରୀ କୋରୋନା ପରେ ଭାରତ-ଚୀନ ମଧ୍ୟରେ ସଂପର୍କ ଆହୁରି ସୁଦୃଢ ହେବ । ଦୁଇ ଦେଶ ବହୁତ ଆଗକୁ ଯିବେ । ଏଭଳି କଥା କହି ଚାଇନା ଔଷଧ ବିକଳରେ ତାଟିଆ କାମୁଡୁଥିବା ପ୍ରମାଣ ଦେଇଛି ।

କୋରୋନା ଭଳି ମାରାତ୍ମକ ରୋଗର ଉତ୍ପତ୍ତିସ୍ଥଳୀ ଚୀନ ହୋଇଥିବାବେଳେ ସାରା ବିଶ୍ୱରେ ବ୍ୟାପି ଏହି ଭାଇରସ ହଜାର ହଜାର ଲୋକଙ୍କ ଜୀବନ ନେଲାଣି । ଏପରିକି ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଆଉ ଏଥିପାଇଁ ଚୀନକୁ ସବୁ ଦେଶ ଦୋଷ ଦେଉଥିବାବେଳେ ତା ବିରୋଧରେ ସ୍ୱର ଉଠାଉଛନ୍ତି । ସମଗ୍ର ବିଶ୍ୱ ବଜାରକୁ କବ୍ଜାକୁ ନେଇ ଚୀନ ନିଜର ପ୍ରତିପତି ବିଶ୍ୱରେ ଜାହିର କରିବାକୁ ଏକ ଚାଲ ଚଲାଇଛି ବୋଲି ବିଶ୍ୱର ଅନେକ ରାଷ୍ଟ୍ର ଆଶଙ୍କା ପ୍ରକଟ କରିବା ସହ ଖୋଲାଖୋଲି ଚୀନ ବିରୋଧରେ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି ।

ଯାହାକୁ ନେଇ ଏବେ ଚାଇନା ବିଳି ବିଳେଇ ହେଉଛି । ଏଭଳି ପରିସ୍ଥିତିରେ ସବୁ ଦେଶ ତାକୁ ଏକଘରିଆ କରିଦେବେନି ତ ଏହି ଚିନ୍ତାରେ ପଡିଯାଇଛି ଚୀନ । ଏଥିଲାଗି ଚାଲାଖି ଦେଖାଇ ଭାରତ ଓ ଚୀନର ବନ୍ଧୁତା କଥା ଉଠାଇ ସବୁ ବିରୋଧ ଉପରେ ପ୍ୟାଚ ପକାଇବାକୁ ଚେଷ୍ଟା କରିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନୟିଙ୍ଗ । ଯାହାକି ଚୀନର ଦୋଷ ଦୁର୍ବଳତାକୁ ପୁଣିଥରେ ପଦାରେ ପକାଇଛି ।

Spread the love