ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

 ଭୁବନେଶ୍ୱର, ୪/୦୪: ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ସମସ୍ତେ ସରକାରଙ୍କୁ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି ।
“ଆପଣମାନେ ଟୋଲ୍ ଫ୍ରି ନଂ ୧୦୪ କୁ ତୁରନ୍ତ ଯୋଗାଯୋଗ କରନ୍ତୁ । ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ । ଡରନ୍ତୁ ନାହିଁ । ମୁଁ ଓ ମୋ ସରକାର ଆପଙ୍କ ସାଥୀରେ ଅଛି । ମା ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ ।”
“କରୋନା ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ । ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ମୁଁ ପୁଣିଥିରେ ଦିଲ୍ଲୀ ମୁଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଓଡ଼ିଶାର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ୨୪ ଘଣ୍ଟାରେ ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ । ବିଳମ୍ବ କରନ୍ତୁ ନାହିଁ । ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ । ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ଼ ଉପକାର କରିପାରିବ ।”
କରୋନାରେ ଆକ୍ରାନ୍ତ ଏପର୍ଯ୍ୟନ୍ତ ୨୦ ଜଣଙ୍କ ମଧ୍ୟରୁ ନିଜାମୁଦ୍ଦିନ ଲିଙ୍କ୍ ରେ ୩ ଜଣ ଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ନିଜାମୁଦ୍ଦିନ୍ ଲିଙ୍କ୍ ରେ ଓଡ଼ିଶାର ଏ ପର୍ଯ୍ୟନ୍ତ ୨୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଗତକାଲି ସେମାନଙ୍କର କୋଭିଡ୍ ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୩ ଟି ପଜିଟିଭ୍ ଆସିଥିବା ବେଳେ ୨୫ ଟି ନେଗେଟିଭ୍ ଆସିଛି । ସଂପୃକ୍ତ ୩ ଆକ୍ରାନ୍ତ କଟକ, ପୁରୀ ଏବଂ ଯାଜପୁରର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି ।
ସେପଟେ ଗତକାଲି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ୧୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ସୂର୍ଯ୍ୟନଗର ପ୍ରଦୀପ୍ତ ଦଳବେହେରାଙ୍କ ଘରୁ ୭ ଜଣ ଥିଲା ବେଳେ ଭୁବନେଶ୍ୱର ବମିଖାଲର ୩ ଜଣ, କଟକର ୧, ପୁରୀର ୧, ଭଦ୍ରକର ୨ ଏବଂ ଯାଜପୁରର ୧ ଅଛନ୍ତି । ଦଳବେହେରା ଘରର ସଦସ୍ୟ ଓ ଭଡ଼ାଟିଆଙ୍କୁ ସ୍ୱତନ୍ତ୍ର କେସ୍ ଭାବେ ବିଚାର କରାଯାଉଛି । ଅବଶିଷ୍ଟ ୮ ଜଣଙ୍କ ମଧ୍ୟରୁ ଯଦି ନିଜାମୁଦ୍ଦିନ୍ ଲିଙ୍କ୍ ରେ ୩ ଜଣ, ତେବେ ଅନ୍ୟ ୫ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଓ ଅନ୍ୟ ତଥ୍ୟ କ’ଣ ତାହା ସ୍ପଷ୍ଟ କରାଯାଇନାହିଁ ।
ପ୍ରତିଷେଧକ ବ୍ୟବସ୍ଥା ଭାବେ ଗତକାଲି ସଂଧ୍ୟାରୁ ସମଗ୍ର ଭୁବନେଶ୍ୱର, କଟକ ଏବଂ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରାଯାଇଛି । ଆଜି ଚରମ୍ପା ଏରେଇଁ ପଞ୍ଚାୟତ ଅଞ୍ଚଳକୁ ବି ଏଥିରେ ସାମିଲ୍ କରାହୋଇଛି । ସେହିଭଳି ଯାଜପୁରରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ରହ୍ମବରଦା ଅଞ୍ଚଳର ୩ କିଲୋମିଟର ପରିଧି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଆକ୍ରାନ୍ତଙ୍କୁ ଅଶ୍ୱିନୀ ହସ୍ପିଟାଲ୍ ପଠାଯାଇଥିବା ବେଳେ ତାଙ୍କ ପରିବାରକୁ ସରକାରୀ କ୍ୱାରେଣ୍ଟାଇନ୍ ରେ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Spread the love