ଏମଏଲଏ ଲାଡ ଫଣ୍ଡକୁ ୨ ବର୍ଷ ପାଇଁ ବନ୍ଦ କରିବା ସହ ସବୁ ବିଧାୟକ ଏବଂ ମନ୍ତ୍ରୀ ମାନଙ୍କର ଦରମା ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ କରାଯାଉ : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର , ୦୭/୪: ମହାମାରୀ କରୋନା ବର୍ତମାନ ସାରା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିଛି । ସାରା  ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ଭୂତାଣୁ ସହ ଲଢୁଛି । ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର  ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଦେଶ ଓ ରାଜ୍ୟର ଏହି ଘଡିସନ୍ଧି ମୁହୁର୍ତରେ ଲୋକ ପ୍ରତିନିଧୀ ମାନଙ୍କର ବହୁତ ବଡ ଭୂମିକା ରହିଛି ।

ଏହି ପରିପ୍ରେକ୍ଷୀରେ ଓଡିଶାର ସମସ୍ତ ବିଧାୟକ ମାନଙ୍କର ବିଧାୟକ ହାତପାଣ୍ଠି ଏମଏଲଏ ଲାଡ ଫଣ୍ଡକୁ ୨ ବର୍ଷ
ପାଇଁ ବନ୍ଦ କରିବା ସହ ସବୁ ବିଧାୟକ ଏବଂ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ କରିବା
ପାଇଁ ରାଜ୍ୟ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।  ଏହା ସହ ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡିକରେ  ସଭାପତି ଅବା ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତି ବିଶେଷ ମାନେ ମଧ୍ୟ ୩୦ ପ୍ରତିଶତ କମ ଦରମା ନେବା ପାଇଁ ଶ୍ରୀ ନାଏକ  ଅନୁରୋଧ କରିଛନ୍ତି ।  ଶ୍ରୀ ନାଏକ କହିଛନ୍ତି ଯେ, କେନ୍ଦ୍ର ସରକାର ସମସ୍ତ ସାଂସଦ ମାନଙ୍କ ପାଇଁ ଏକ ବର୍ଷ ପର୍ଯ୍ୟନ୍ତ ୩୦ପ୍ରତିଶତ କମ  ଦରମା ନେବା ବ୍ୟବସ୍ଥା ଲାଗୁ କରିଛନ୍ତି । କେନ୍ଦ୍ରରେ ମୋଦି ସରକାର ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି ଓଡିଶାରେ ମଧ୍ୟ ଅନୁରୂପ ଭାବେ ଏହାକୁ ଲାଗୁ କରାଯାଉ ।

ଏମଏଲଏ ଲାଡ ଫଣ୍ଡରୁ ଏବଂ ମନ୍ତ୍ରୀ, ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ ଏଥିରେ ବିଶେଷ ପାଣ୍ଠି
ଗଠନ କରି ଏହାକୁ କରୋନା ମୁକାବିଲା ପାଇଁ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘ ମିଆଦି ଯୋଜନା କରି ଖର୍ଚ୍ଚ କରିବା ପାଇଁ
ରାଜ୍ୟସରକାରଙ୍କୁ ଶ୍ରୀ ନାଏକ ପ୍ରସ୍ତାବ ଦେଇଛନ୍ତି ।

Spread the love