କରୋନା ସମ୍ପର୍କିତ ପରାମର୍ଶ ପାଇଁ ଟେଲିମେଡ଼ିସିନ୍ ହେଲ୍ପଲାଇନ; ୧୪୪୧୦

ଭୁବନେଶ୍ୱର, ୭/୦୪:  କଫ, ଥଣ୍ଡା, କାଶ, ଜ୍ୱର ଭଳି କରୋନା ଲକ୍ଷଣ ଅନୁଭବ କରୁଥିବା ବ୍ୟକ୍ତିମାନେ ଏଥର ଟେଲିମେଡ଼ିସିନ୍ ହେଲପଲାଇନ୍ ର ସୁବିଧା ନେଇପାରିବେ । ଏହାର ନମ୍ବର ହେଉଛି ୧୪୪୧୦ । ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ନୂଆ ହେଲପଲାଇନ୍ ଆସନ୍ତାକାଲି ଦିନ ୧୧ଟାରୁ କାର୍ଯ୍ୟକ୍ଷମ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ 104 ହେଲପଲାଇନ୍ କାର୍ଯ୍ୟ କରୁଛି । ଲୋକମାନେ ଡାକ୍ତରୀ ପରାମର୍ଶ ପାଇଁ ଏଣିକି ସ୍ୱତନ୍ତ୍ର ଭାବେ ୧୪୪୧୦ ହେଲପଲାଇନ୍ ର ସୁବିଧା ନେଇପାରିବେ । ତାହା ସମ୍ପୂର୍ଣ୍ଣ ମାଗଣାରେ । ହେଲପଲାଇନ ମନିଟିରଂ ଦାୟିତ୍ୱରେ ଥିବା ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ଆଜି ଏହାର ବିସ୍ତୃତ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବର୍ତ୍ତମାନ ୧୦୪ ହେଲପଲାଇନରେ ପ୍ରତିଦିନ ୧୨,୦୦୦ ରୁ ୧୪,୦୦୦ କଲ୍ ପାଉଛୁ । ତେବେ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଥିବାରୁ ଏହି ବେମାର, ବେମାରର ଉପଚାର ଏବଂ ଟେଷ୍ଟିଂ ପାଇଁ ଅଧିକ ଲୋକ ପରାମର୍ଶ ଆବଶ୍ୟକ କରୁଛନ୍ତି । ଆସନ୍ତା ସମୟରେ ସଂଖ୍ୟା ବଢ଼ିବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ଭାବେ ଟେଲିମେଡ଼ିସିନ ହେଲପଲାଇନ୍ ଆରମ୍ଭ କରାଯାଉଛି ।
ଏହି ହେଲପଲାଇନ୍ ରେ ଆଇଭିଆର ସିଷ୍ଟମ୍ ଲାଗୁ କରାଯାଇଛି । କଲ୍ କରିଥିବା ବ୍ୟକ୍ତିଙ୍କୁ ଉକ୍ତ ସିଷ୍ଟମ୍ ଟ୍ରାଭେଲ୍ ହିଷ୍ଟ୍ରି, ଲକ୍ଷଣ ଆଦି ପ୍ରଶ୍ନ ପଚାରିବ । ବ୍ୟକ୍ତିଙ୍କ ଉତ୍ତର ଆଧାରରେ ତାଙ୍କର ଗୋଟିଏ ହିଷ୍ଟ୍ରି ପ୍ରସ୍ତୁତ ହେବ । ଏହି ହିଷ୍ଟ୍ରି ମୋବାଇଲ୍ ଆପ୍ ଜରିଆରେ ଡାକ୍ତରଙ୍କ ପାଖକୁ ଯିବ । ଡାକ୍ତର ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଟିକନିକ୍ ପଚାରି ବୁଝିବେ । ଆବଶ୍ୟକତା ଅନୁଯାୟୀ ଔଷଧ କିମ୍ବା ଟେଷ୍ଟିଂ ପାଇଁ ଡାକ୍ତର ପରାମର୍ଶ ଦେବେ ।
ଯଦି କୌଣସି କଲ୍ କରୋନା ସମ୍ପର୍କିତ ନ ଥିବ ସେହି କଲ୍ କୁ ୧୦୪ କୁ ଡାଇଭର୍ଟ କରାଯିବ ଏବଂ ଲୋକମାନେ ଆବଶ୍ୟକ ପରାମର୍ଶ ନେବେ ବୋଲି ଡ. କ୍ରିଷନ୍ କୁମାର କହିଛନ୍ତି ।
ସୂଚନାଥାଉକି, ରାଜ୍ୟର ସାଂମ୍ପ୍ରତିକ କରୋନା ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଏବଂ ଡାକ୍ତରୀ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଟେଲିମେଡ଼ିସିନ୍ ହେଲପଲାଇନ୍ ସେବା ଆରମ୍ଭ କରୁଛନ୍ତି । ସରକାରଙ୍କ ଏହି ଉଦ୍ୟମରେ ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜ୍ୟ ଓ ରାଜ୍ୟ ବାହାରର ଡାକ୍ତରମାନଙ୍କୁ ଅପିଲ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ ର ୨୪ ଘଣ୍ଟା ମଧ୍ୟରେ ୩୦୦ ଡାକ୍ତର ସ୍ୱେଚ୍ଛାକୃତ ସେବା ପାଇଁ ଆଗେଇ ଆସିଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
Spread the love