ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଜଣାଇଲେ ସମୀର

ଭୁବନେଶ୍ୱର, ୧୦/୪: କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି । କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ସମେତ ସମସ୍ତ ରାଜ୍ୟ ଏକାଠୀ ହୋଇ ଲଢେଇ କରୁଛି । କରୋନା  ଭୂତାଣୁ ସଂପର୍କରେ ଜନସଚେତନା ସୃଷ୍ଟି କରିବା ସହ କରୋନା ପ୍ରସ୍ତୁତି ଦିଗରେ ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା, ବ୍ଲକ, ପଂଚାୟତ ଏବଂ ଗାଁ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀମାନେ ଯେପରି କଠିନ ଓ ନିଷ୍ଠାପର
ଉଦ୍ୟମ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ହିତ ଦୃଷ୍ଟିରେ ଯେଉଁ ଲକଡାଉନ ଘୋଷଣା କରିଛନ୍ତି ତାହାକୁ ସଫଳ କରିବା, ନିଃସ୍ୱ ଗରିବ ଅସହାୟମାନଙ୍କ ପାଖରେ ଖାଦ୍ୟ ପହଂଚାଇବା  ଆଦି କାର୍ଯ୍ୟ ଅତ୍ୟନ୍ତ ଶୃଙ୍ଖଳିତ ଏବଂ ସଠିକ ଢଙ୍ଗରେ ହେଉଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ପୁଲିସ କର୍ମଚାରୀ ମାନେ ଦିନ ରାତି ଏକାଠି କରି ଲକଡାଉନ ବ୍ୟବସ୍ଥାକୁ ସଫଳ କରିବା ସହ ଲୋକମାନଙ୍କୁ  କରୋନା ସଂପର୍କରେ ସଚେତନ କରାଉଛନ୍ତି । ସମାନ ଢଙ୍ଗରେ ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ ଅଧିକାରୀ ଏବଂ ଜରୁରୀକାଳୀନ ବ୍ୟବସ୍ଥାରେ ଜଡିତ ଥିବା ସମସ୍ତ କର୍ମଚାରୀମାନେ କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ।

ଏଭଳି ଏକ ସଙ୍କଟ ଘଡିରେ  ସମସ୍ତେ ଏକଜୁଟ ହୋଇ ନିଜ ନିଜର କାର୍ଯ୍ୟ ସଂପନ୍ନ କରୁଥିବାରୁ ବିଜେପିର ଲକ୍ଷ ଲକ୍ଷ କାର୍ଯ୍ୟକର୍ତା, ଶୁଭେଚ୍ଛୁ ଓ ସମର୍ଥକମାନଙ୍କ ତରଫରୁ ଶ୍ରୀ ମହାନ୍ତି ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟବାସୀଙ୍କ ସଦିଚ୍ଛା ଓ ଦୃଢ ସମର୍ଥନ ଆପଣଙ୍କ ମନୋବଳକୁ ଦୃଢ କରିବ ଏବଂ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ  କୃପାରୁ ଆମେ ମାନେ ସୁରକ୍ଷିତ ରହି ଏଭଳି ସଙ୍କଟକୁ ଏଡାଇ ବିଜୟୀ ହେବା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love