21 ଫେବୃୟାରୀଠାରୁ ରାମ ମନ୍ଦିର ନିର୍ମାଣ !

21ଫେବୃୟାରୀରୁ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏ ନିଷ୍ପତ୍ତି କେନ୍ଦ୍ର ସରକାର ନୁହେଁ ପ୍ରୟାଗରାଜରେ ଠୁଳ ହୋଇଥିବା ସାଧୁସନ୍ଥ ନେଇଛନ୍ତି । ପ୍ରୟାଗରାଜ କୁମ୍ଭମେଳାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଡାକିଥିବା ପରମ ଧର୍ମ ସଂସଦରେ ରାମ ମନ୍ଦିର ନିର୍ମାଣ ନେଇ ଏପରି ଘୋଷଣା କରିଛନ୍ତି । ପରମ ଧର୍ମ ସଂସଦରେ ରାମମନ୍ଦିର ପାଇଁ ଆଧାରଶିଳା ରଖିବାର ପ୍ରସ୍ତାବ ପାରିତ ହୋଇଯାଇଛି । ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି, ଏଥିପାଇଁ ସମସ୍ତ ଆଖଡ଼ାରେ ସନ୍ଥଙ୍କ ସହ ଆଲୋଚନା ହୋଇସାରିଛିି । ଧର୍ମ ସଂସଦର ନେତୃତ୍ଵ ନେଇଥିବା ଶଙ୍କରାଚାର୍ଯ୍ୟ ସ୍ଵରୂପାନନ୍ଦ ସରସ୍ଵତୀ କହିଛନ୍ତି ହିନ୍ଦୁଙ୍କ ମନୋକାମନା ପୂରଣ ପାଇଁ 2019 ଫେବୃଆରୀ 21ରେ ରାମମନ୍ଦିର ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବ ।

ବସନ୍ତ ପଞ୍ଚମୀ ପରେ ଆମେ ପ୍ରୟାଗରାଜ ପାଇଁ ପ୍ରସ୍ତାନ କରିବୁ । ତେବେ ରାମମନ୍ଦିର ପାଇଁ ଗୁଳି ଖାଇବାକୁ ପଡ଼େ କି ଜେଲ ଯିବାକୁ ପଡ଼େ ତେବେ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ସ୍ଵରୂପାନନ୍ଦ ସରସ୍ଵତୀ । ତେବେ ମନ୍ଦିର ନିର୍ମାଣ କେଉଁ ସ୍ଥାନରେ ହେବ , ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ କହିସାରିଛନ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବାପରେ ହିଁ ସରକାର କୌଣସି ନିର୍ଣ୍ଣୟ ନେଇପାରିବେ । କିନ୍ତୁ ହିନ୍ଦୁବାଦୀ ସଂଗଠନ ଧର୍ମ ସଂସଦ ଓ ବିକ୍ଷୋଭ ଜରିଆରେ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଉପରେ ଚାପ ପକାଯାଉଛି ।

Spread the love