ଆଜିଠାରୁ ପ୍ରଚଳିତ ହେଲା ନୂଆ ପଞ୍ଜିକା

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ମହାବୀର ହନୁମାନଙ୍କ ଜନ୍ମୋତ୍ସବ। ଏହି ଅବସରରେ ଶ୍ରୀମନ୍ଦିରରେ ହନୁମାନଙ୍କ ଜୟନ୍ତୀ ଉତ୍ସବ ଉପଲକ୍ଷେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି। କିନ୍ତୁ ‘କରୋନା’ ଯୋଗୁ ହୋଇଥିବା ଲକ୍‌ଡାଉନ୍‌କୁ ଲକ୍ଷ୍ୟ ରଖି ସାମାଜିକ ଦୂରତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସମସ୍ତ ନୀତିକାନ୍ତି ବିଧିବିଧାନ ଅନୁସାରେ କରାଯାଇଛି। ଆଜିର ପବିତ୍ର ଦିନରେ ପଞ୍ଜିକା ପ୍ରଚଳନ କରାଯାଇଛି।

ଆଜି ସକାଳ ଧୂପ ପରେ ଦକ୍ଷିଣ ଘରେ ଥିବା ହନୁମାନ ଆଜ୍ଞାମାଳ ପାଇବା ପରେ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ ହୋଇଥିଲେ। ପରେ ଶ୍ରୀ ଜଗନ୍ନାଥ ମନ୍ଦିର ଚାରିଦ୍ୱାର ଥିବା ହନୁମାନଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ସେଠାରୁ ବିମାନବଡୁ ସେବକମାନେ ବିମାନକୁ ନେଇ ଜଗନ୍ନାଥ ବଲ୍ଲଭରେ ବିଜେ କରାଇଥିଲେ। ସେଠାରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ନେଇ ଦରିଆ ମହାବୀରଙ୍କୁ ପ୍ରଦାନ କରିଥିଲେ। ସେଠାରୁ ଫେରିବା ପରେ ଜଗନ୍ନାଥ ବଲ୍ଲଭ ପରିସରରେ ଶୀତଳ ଭୋଗ, ବନ୍ଦାପନା ଆଦି ହନୁମାନଙ୍କୁ କରାଯାଇଥିଲା। ତା’ପରେ ହନୁମାନ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ।
ସେପଟେ ଉତ୍କଳୀୟ ନବବର୍ଷର ପ୍ରଥମଦିନ ଭଗବାନ ସୂର୍ଯ୍ୟ ଦେବ ଏକମାସ ମେଷରାଷିରେ ଅବସ୍ଥାନ କରିବେ। ଆଜିର ପବିତ୍ର ଦିନରେ ପଞ୍ଜିକା ପ୍ରଚଳନ କରାଯାଇଛି। ଏହି ପଞ୍ଜିକା ବର୍ଷସାରା ପ୍ରଚଳିତ ହେବ। ବିଶେଷକରି ଯାନିଯାତ୍ରା, ପର୍ବପର୍ବାଣୀ, ଅମୃତବେଳା, ପୂଜାପଦ୍ଧତି, ବିବାହ ଓ ବ୍ରତପନୋୟନ, ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ତିଥି ଆଦି ସ୍ପଷ୍ଟ ଲେଖା ରହିଛି। ଯାହାକୁ ପଞ୍ଜିକା ଦ୍ୱାରା ଜାଣିହେବ।ସେପଟେ ଶ୍ରୀକ୍ଷେତ୍ରରେ ବିଭିନ୍ନ ସାହି ଆଖଡାମାନଙ୍କରେ ମହାବୀରଙ୍କ ନିକଟରେ ପଣା ଓ ଛତୁଆ ପ୍ରସାଦ ଲାଗି କରାଯାଇଛି। କିନ୍ତୁ ଚଳିତବର୍ଷ କୁସ୍ତି ଆଦି କଳାନୈପୂଣ, ସମରକଳା ପ୍ରଦର୍ଶନ କରାଯାଇନଥିଲା।
Spread the love