କରୋନା ସଚେତନତା ବେଳେ ଆଶାକର୍ମୀଙ୍କ ଉପରେ ଢାଳିଦେଲେ ତତଲା ପେଜ

ନୟାଗଡ଼୨୧/୦୪: କରୋନା ରୋକିବାକୁ ସଚେତନ କରିବାକୁ ଯାଇଥିବା  ଜଣେ ଆଶା କର୍ମୀଙ୍କ ଉପରକୁ କିଛି ଅସାମାଜିକ ବ୍ୟକ୍ତି ତତଲା ପେଜ ଢାଳି ଦେଇଛନ୍ତି। ଦଶପଲ୍ଲା ବ୍ଲକ୍‌ ଆଦିବାସୀ ବହୁଳ ନୂଆଗାଁ ପଞ୍ଚାୟତର ଗେନେଗେଣ୍ତା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିଡିଓ ଦେବୀ ପ୍ରସାଦ ମହାନ୍ତି ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଚଳାଇଛନ୍ତି। ତେବେ ଏଥିରେ ସଂପୃକ୍ତ ଆଉ କିଛି ବ୍ୟକ୍ତି ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗେନେଗେଣ୍ତା ଗ୍ରାମର ଆଶା କର୍ମୀ ମାଧୁରୀ ନାୟକ ଓ ସେହି ଗ୍ରାମର ମନୁ ନାୟକଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ଶତ୍ରୁତା ଲାଗି ରହିଥିଲା। ମାତ୍ର ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୮ଟାରେ ମାଧୁରୀ କରୋନା ସଂକ୍ରମଣ ସମ୍ପର୍କରେ ଗ୍ରାମରେ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା।

ଏଥିରେ ଉକ୍ଷୀପ୍ତ ହୋଇ ମନୁ ନାୟକ ମାଧୁରୀଙ୍କ ଉପରକୁ ତତଲା ପେଜ ଢାଳି ଦେଇଥିଲେ। ଗୁରୁତର ଅବସ୍ଥାରେ ମାଧୁରୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ଚିକିତ୍ସା ପରେ ଆଶାକର୍ମୀଙ୍କ ଅବସ୍ଥା ଭଲଥିବା ଜଣାପଡିଛି।

Spread the love