କିମ୍‌ସ କୋଭିଡ ହସପିଟାଲର ୧୧୦ ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌ ଘରକୁ ଫେରିଲେ

କିମ୍‌ସ କୋଭିଡ ହସପିଟାଲରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ୧୧୦ ଜଣ ନର୍ସ, ପାରାମେଡିକାଲ ଷ୍ଟାଫ ଅନ୍ୟ କର୍ମଚାରୀ ଆଜି ଘରକୁ ଫେରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନେ ୧୪ ଦିନ କାର୍ଯ୍ୟ କରିବା ପରେ ୧୪ ଦିନ ସଂଗରୋଧରେ ରହିଥିଲେ। ପରେ ସେମାନଙ୍କ ରିପୋର୍ଟ ପରୀକ୍ଷା କରାଯାଇ ନେଗେଟିଭ ଆସିବାରୁ ସେମାନଙ୍କୁ ଆଜି ଘରକୁ ଯିବା ପାଇଁ ଅନୁମତି ଦିଆଯାଇଛି । କିମ୍‌ସ କୋଭିଡ ହସପିଟାଲରେ କାର୍ଯ୍ୟ କରିବା ସମୟରେ ସେମାନଙ୍କୁ ଖାଇବା, ପିଇବା ଓ ରହିବାର ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ଅତି ଉତ୍ତମ ବ୍ୟବସ୍ଥା କରାଯାଇଥିଲା।ଆଇସିଏମ୍‌ଆର ଓ ଡବ୍ଲ୍ୟୁଏଚଓ ନିୟମ ଅନୁସାରେ ସେମାନେ ପ୍ରଥମ ପର୍ଯ୍ୟାୟରେ ୧୪ ଦିନ କାର୍ଯ୍ୟ କରିବା ପରେ ସେମାନଙ୍କୁ କିଟ ଗେଷ୍ଟ ହାଉସରେ ୧୪ ଦିନ ସଂଗରୋଧରେ ରଖାଯାଇଥିଲା । ଏହି ନର୍ସ ଓ ପାରାମେଡିକାଲ ଓ୍ଵାର୍କରଙ୍କ ସେବାରେ କରୋନା ସଂକ୍ରମିତ ରୋଗୀମାନେ ଭଲ ହୋଇଯିବା ପରେ ବେଶ ସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି। ନର୍ସ ଓ ପାରାମେଡିକାଲ ଓ୍ଵାର୍କରମାନେ ମଧ୍ୟ ଏଭଳି ସମୟରେ ସେବା ଯୋଗାଇବାର ସୁଯୋଗ ପାଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି। ଆଜି ଏହି ନର୍ସ ଓ ପାରାମେଡିକାଲ ଷ୍ଟାଫ ମାନେ ଘରକୁ ପ୍ରଥମ କରି ଫେରୁଥିବା ବେଳେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କ ଦୁଃସାହସିକ କାର୍ଯ୍ୟ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିମ୍‌ସ ପ୍ରଥମେ କୋଭିଡ ହସପିଟାଲ କରିବା ପାଇଁ ସୁଯୋଗ ପାଇଥିବା ବେଳେ ଏହି ନର୍ସ ଓ ପାରାମେଡିକାଲ ଓ୍ଵାର୍କରମାନେ ସାହସର ସହ କରୋନା ସଂକ୍ରମିତଙ୍କୁ ସେବା ଯୋଗାଇ ଦେବା ପାଇଁ ଆଗେଇ ଆସିଥିଲେ ବୋଲି ଡ଼ ସାମନ୍ତ କହିଛନ୍ତି। ଆଜି ଏହି କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟ ଓ କିମସର ସିଇଓ ଡାକ୍ତର ବିଷ୍ଣୁ ପାଣିଗ୍ରାହୀ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Spread the love