ପ୍ରାଇଭେଟ ସ୍କୁଲ ଫି ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରୋଧୀ ଦଳ ନେତା

ଏବେ ଘରୋଇ ସ୍କୁଲ ଅଭିଭାବକଙ୍କ ପାଇଁ ଚିନ୍ତା ପ୍ରକଟ କଲେ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ସେ ଦିଲ୍ଲୀ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ । କେଉଁ ପରିତସ୍ଥିତିରେ ଘରୋଇ ସ୍କୁଲ ଏଭଳି ଏକ ଅଭାବନୀୟ ସମୟରେ ଅଭିଭାବକଙ୍କ ଉପରେ ଚାପ ପ୍ରୟୋଗ କରି ଫି ଦାବି କରୁଛନ୍ତି ତାକୁ ମଧ୍ୟ ସରକାରଙ୍କ ଦୃଷ୍ଟି ଗୋଚର କଲେ ।

ସୂଚନା ଅନୁସାରେ, ଏବେ କରୋନା ମହାମାରୀ ପାଇଁ ସବୁ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯେହେତୁ ଗତ ୪୦ ଦିନରୁ ଅଧିକ ଦିନ ହେଲାଣି ସାରାଦେଶ ଲକ ଡାଉନରେ ରହିଛି । ବେପାର ବଣିଜ ସବୁ କିଛି ଏକ ପ୍ରକାର ଠପ ହୋଇ ପଡିଛି । ରୋଜଗାର  ନାହିଁ କହିଲେ ଚଳେ ।  ଏହି ଭିତରେ ଏବେ ଘରୋଇ ସ୍କୁଲରେ ପାଠ ପଢାଉଥିବା ଅଭିଭାବକଙ୍କ ଉପରେ ଏବେ ଅତିରିକ୍ତ ବୋଝ ହୋଇ ପଡିଛି ପିଲାଙ୍କ ସ୍କୁଲ ଫି ଭରିବା । ଯାହାକୁ ନେଇ ବାରମ୍ବାର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ଘରୋଇ ସ୍କୁଲର ଅଭିଭାବକ । ଏହି ଲକ ଡାଉନ ପାଇଁ ୩ ମାସ ସ୍କୁଲ ଫି କୋହଳ କରିବାକୁ ଦାବି କରୁଛନ୍ତି ଅଭିଭାବକ ।

ଏହି ଦାବିକୁ ଏବେ  ଅନେକ ଘରୋଇ ସ୍କୁଲ ଗ୍ରହଣ କରିବାକୁ ନାରାଜ । ତେବେ ଏନେଇ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏନେଇ ସେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଉଦାହରଣ ଦେଇ କହିଛନ୍ତି । ଦିଲ୍ଲୀରେ ପ୍ରାଇଭେଟ ସ୍କୁଲ ଗୁଡିକ କେବଳ ଟ୍ୟୁସନ ଫି ନେଇ ପାରନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ  ପରାମର୍ଶ ଦେଇଛନ୍ତି। ଯେହେତୁ ଅନଲାଇନରେ କ୍ଲାସ ବ୍ୟବସ୍ଥା ରହିଛି ତେଣୁ ଟ୍ୟୁସନ ଫି ନିଆଯାଇପାରେ । ଅନ୍ୟାନ୍ୟ ଫି ଯଥା ବୋଡିଂ ଫି, ଲାଇବେରୀ ଫି , ପରିବହନକୁ ବାଦ ଦିଆଯାଇଛି । ମାତ୍ର ଓଡିଶାରେ ଏବେ ଅନେକ ଘରୋଇ ସ୍କୁଲ ରହିଛନ୍ତି ଯେଉଁମାନେ ଟ୍ୟୁସନ ଫି ସହିତ ଅନ୍ୟାନ୍ୟ ଫି ନେବାକୁ ଅଭିଭାବକଙ୍କୁ ଚାପ ପ୍ରୟୋଗ କରୁଛନ୍ତି ।

କେବଳ ସେତିକି ନୁହେଁ ସ୍କୁଲ ଗୁଡିକ ଏନସିଇଆରଟି ବହି ପ୍ରତିବଦଳରେ ଅନ୍ୟ ବହି କିଣିବାକୁ ପରାମର୍ଶ ଦେଉଛନ୍ତି । ମାତ୍ର ସିବିଏସଇ ଗାଇଡ ଲାଇନ କହୁଛି ଏନସିଇଆଟି ବହି ବ୍ୟବହାର କରିବାକୁ ।

ତେଣୁ ରାଜ୍ୟ ସରକାରଙ୍କୁ ସେ ନିବଦେନ କରିଛନ୍ତି ପ୍ରାଇଭେଟ ସ୍କୁଲ ଗୁଡିକ କେବଳ ଟ୍ୟୁସନ ଫି ବ୍ୟତୀତ ଅନ୍ୟସବୁ ଫି ଛାଡ କରନ୍ତୁ, ସେହିଭଳି ୨୦୨୦ – ୨୧ ବର୍ଷରେ କୌଣସି ଫି ବୃଦ୍ଧି ନକରନ୍ତୁ । କେବଳ ଏନସିଇଆରଟି ବହି ପ୍ରଚଳନ ହେଉ । ଏଭଳି ଏକ ବିପଦ ସମୟରେ ଏହାକୁ ଗୁରୁତର ସହ ନେଇ ଏହା ଉପରେ ତୁରନ୍ତ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ବିରୋଧୀଦଳ ନେତା ଶ୍ରୀ ନାୟକ ।

ସୂଚନାଯୋଗ୍ୟ ସମ୍ବଲପୁରର ଆଡଭୋକେଟ ମହମ୍ମଦ ସୁସତାକ ଅନସରୀଙ୍କ ଦ୍ୱାରା ହାଇକୋର୍ଟରେ ଏକ ପିଟିସନ ଦାୟର କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ତାଲାବନ୍ଦ ଯୋଗୁ ସମସ୍ତଙ୍କ ଆର୍ଥିକ ସ୍ଥିତି ଭୁଷୁଡି ପଡିଛି । ରୋଜଗାର ଏକ ପ୍ରକାର ଠପ ହୋଇଯାଇଛି । ଫଳରେ ଅଭିଭାବକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୦ ରୁ ଜୁନ ୨୦ କ୍ଲାସ ଆରମ୍ଭ ହେବା ପର୍ୟ୍ୟନ୍ତ ସମସ୍ତ ଫି କୋହଳ କରିବାକୁ ।ଆହୁରି ମଧ୍ୟ ଅପିଲ କରାଯାଇଥିଲା ୨୦୨୦ ଓ ୨୧ ଶିକ୍ଷା ବର୍ଷରେ କୌଣସି ଶୁଳ୍କ ବୃଦ୍ଧି ନ କରାଯାଉ । ତେବେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଏକ ନୋଟିସ ଜାରି କରି ଜବାବ ତଲବ କରାଯାଇଥିଲା । ଯାହାର ଏକ ଶୁଣାଣୀ ଗତ ମେ ୧ ତାରିଖକୁ ଧାର୍ଯ୍ୟ ହୋଇଥିଲା ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପ୍ରିଲ ୧୦ରେ ଟ୍ୱିଟ୍ କରାଯାଇଥିଲା କି, କୋଭିଡ୧୯ ପାଇଁ ଲକ୍ ଡାଉନ୍ ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସେମାନଙ୍କର ତିନି ମାସିଆ ସ୍କୁଲ ଫିକୁ ହ୍ରାସ ବା ଘୁଞ୍ଚାଇବା ଉପରେ ବିଚାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ମାତ୍ର ବଡ ବିଡମ୍ବନାର କଥା ହେଉଛି ଏହାକୁ ମଧ୍ୟ ଏବେ ଅନେକ ଘରୋଇ ସ୍କୁଲ ମାନୁନଥିବା ଅଭିଯୋଗ ହେଉଛି ।

Spread the love