ଚଳିତ ଖରିଫରେ ମୋଟ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ : ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର, ୧୮/୦୫: ୨୦୨୦ର ରାଜ୍ୟରେ ଖରିଫ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରିବା ପାଇଁ ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନ ଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫେର୍‌ନ୍ସି ମାଧ୍ୟମରେ କୃଷି ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଯୋଗଦାନ କରିଥିଲେ ।

କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକ୍‌ଡାଉନ୍ ପରିସ୍ଥିତିରେ କୃଷି କ୍ଷେତ୍ରକୁ କ୍ରିୟାଶୀଳ କରିବା ପାଇଁ ଉପଯୁକ୍ତ ଫସଲ ଯୋଜନା ସହ କୃଷି ସଂପ୍ରସାରଣ ଓ ସଠିକ ବଜାର ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଇ ଖରିଫ ଚାଷ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ । ରାଜ୍ୟରେ ପ୍ରାୟ ୭୦ ଭାଗଲୋକ ଜୀବିକା ଉପାର୍ଜନ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷରେ କୃଷି ଉପରେ ନିର୍ଭର କରିଥିବାରୁ ଏହି ଆପାଦକାଳୀନ ସ୍ଥିତିରେ କୃଷି ହିଁ ଏକମାତ୍ର ଆଲୋକର ଶିଖା ରୁପେ ଦେଖାଦେଇଛି ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଆଧାରରେ ସମସ୍ତ ପ୍ରକାରର କୃଷିକାର୍ଯ୍ୟ ଆଗେଇନେବା ସହିତ କୌଣସି ପ୍ରକାର ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ରହିବାପାଇଁ କହିଛନ୍ତି । ଚାଷୀମାନଙ୍କ ନିକଟରେ ପହଂଚିବା ପାଇଁ ସୋସିଆଲ୍ ମେଡିଆ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ପ୍ରତ୍ୟେକ ପଂଚାୟତରେ ୧୦୦ରୁ ୨୦୦ କୃଷକଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ ଗଠନ କରାଯାଇଛି । କୃଷି ସମ୍ବନ୍ଧୀୟ ସୁଚନା, ବିଭାଗୀୟ ବାର୍ତା ଓ ପରାମର୍ଶ ତଥା ଭିଡିଓ କ୍ଲିପ୍ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକୀୟ ସୁଚନା ଦିଆଯାଉଛି ବୋଲି ମନ୍ତ୍ରୀ ଡ଼ଃ ସାହୁ ପ୍ରକାଶ କରିଛନ୍ତି ।

ଚଳିତ ଖରିଫରେ ମୋଟ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଖରିଫ ଋତୁରେ ଆମ ରାଜ୍ୟରେ ୬୧.୮୦ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ହୋଇଥାଏ । ସେଥମଧ୍ୟରୁ ମୁଖ୍ୟ ଫସଲ ଧାନ ୩୬.୫୦ ଲକ୍ଷ ହେକ୍ଟର ଜମିରେ କରାଯିବ ।

ସେହିପରି ମୁଗ, ବିରି ଓ ହରଡ଼ ଆଦି ଡାଲିଜାତୀୟ ଫସଲ ୮ ଲକ୍ଷ ହେକ୍ଟର ରେ କରାଯିବ । ରାଶି, ଚିନାବାଦାମ ଭଳି ତୈଳବୀଜ ଫସଲ ୩.୮୧ ଲକ୍ଷ ହେକ୍ଟରରେ ଚାଷ କରାଯିବବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ମକା ଫସଲ ଉଚ୍ଚ ଜମିରେ ଏକ ପ୍ରମୁଖ ଫସଲ ଏବଂ ଏହା ୨.୭୦ ଲକ୍ଷ ହେକ୍ଟର ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କପା ମଧ୍ୟ ଉଚ୍ଚ ଜମିରେ ଏକ ଲାଭଜନକ ଫସଲ ଏବଂ ଚଳିତ ବର୍ଷ ୧.୮୦ ଲକ୍ଷ ହେକ୍ଟର ଜମିରେ କପା ଚାଷ କାର୍ଯ୍ୟକ୍ରମ ରହିଛି । ସେହିଭଳି ବିଭିନ୍ନ ପନିପରିବା ଫସଳ ୫.୬୦ ଲକ୍ଷ ହେକ୍ଟରରେ ହେବାର ଲକ୍ଷ୍ୟ ରହିଛି ।

ଓଡ଼ିଶାରେ ଚଳିତ ଖରିଫ ଊତୁରେ ୪.୫୦ ଲକ୍ଷ କ୍ୱିଣ୍ଟାଲ. ଧାନ ଓ ୧.୦୭ ଲକ୍ଷ  କ୍ୱିଣ୍ଟାଲ, ଅନ୍ୟାନ୍ୟ ବିହନ ଉତ୍ପାଦନ ଓ ଯୋଗାଣ ଲକ୍ଷ୍ୟ ରହିଛି । ଫଳ, ପନିପରିବା ଓ ଫୁଲଚାଷ ଭଳି ଅର୍ଥକାରୀ ଫସଲ ଚାଷ ପାଇଁ ଆମ ସରକାର ବିଶେଷ ପ୍ରଯତ୍ନ କରୁଛନ୍ତି ।
ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନା ଉଭୟ ୠଣୀ ଓ ଅଣଋଣୀ କୃଷକମାନଙ୍କ ପାଇଁ ଇଚ୍ଛାଧିନ କରାଯାଇଛି । ଚଳିତ ଖରିଫ ଋୁତୁରେ ୧୦ ଲକ୍ଷ ଅଣଋଣୀ କୃଷକଙ୍କ ସମେତ ସମୁଦାୟ ୨୫ ଲକ୍ଷଚାଷୀ ଓ ବୀମାଭୁକ୍ତ ଫସଲ ଆୟତନର ଶତକଡ଼ା ୪୦ ଭାଗ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଗତବର୍ଷ ଖରିଫ ଋତୁରେ ୭୩୩୦.୫୬ କୋଟି ଟଙ୍କାର କୃଷିୠଣ ୧୭ ଲକ୍ଷ ୯୧ ହଜାର ଚାଷୀଙ୍କୁ ଯୋଗାଇ ଦିଆଯାଇଥିବାବେଳେ ଚଳିତ ବର୍ଷ ୨୦୨୦ ଖରିଫ ଋତୁରେ ୭୫୦୦ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ଖରିଫ କାର୍ଯ୍ୟକ୍ରମ -୨୦୨୦ ପୁସ୍ତିକାକୁ ମନ୍ତ୍ରୀ ଡ଼ଃ ସାହୁ ଉନ୍ମୋଚନ କରିଥିଲେ।

ବୈଠକରେ ଉନ୍ନୟନ କମିଶନର ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ସୌରଭ ଗର୍ଗ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଭି.ଭି.ଯାଦବ, OUAT ର କୁଳପତି ଡ଼. ପବନ କୁମାର ଅଗ୍ରୱାଲ୍ , କୃଷି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌. ମୁଥୁ କୁମାର, ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ କୃଷି ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Spread the love