କଂଗ୍ରେସ କ୍ଷମତାକୁ ଆସିଲେ ଧାନ କ୍ୱିଣ୍ଟାଲ 2600 ହେବ : ରାହୁଲ ଗାନ୍ଧୀ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀମାନେ ଧାନ କ୍ୱିଣ୍ଟାଲ ପିଛା 2600 ଟଙ୍କାରେ ବିକିବେ। କଳାହାଣ୍ଡିରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ରାହୁଲ ଗାନ୍ଧି ଏହା କହିଛନ୍ତି। ସମାବେଶରେ ରାହୁଲ ଚାଷୀ ଓ ଗରୀବଙ୍କ ଉପରେ ରାହୁଲ ପ୍ରତିଶ୍ରୁତିର ବର୍ଷା କରିଛନ୍ତି।

ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବଜେଟରେ ଚାଷୀ ପରିବାର ପାଇଁ ଦୈନିକ 17 ଟଙ୍କା ଦେବାର ବ୍ୟବସ୍ଥା କଲେ ମୋଦି ସରକାର । ହେଲେ 15 ଜଣ ଶିଳ୍ପପତି ବନ୍ଧୁଙ୍କ ପାଇଁ ମୋଦି 4 ବର୍ଷରେ ସାଢେ 3 ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଦେଲେ । ଦେଶରେ ନରେନ୍ଦ୍ର ମୋଦି କିମ୍ବା ରାଜ୍ୟରେ ନବୀନ ପଟ୍ଟନାୟକ କୃଷିଋଣ ଛାଡ କରିପାରିବେ ନାହିଁ । ଛତିଶଗଡରେ କଂଗ୍ରେସ ସରକାର ଆସିବା କ୍ଷଣି ଧାନ କ୍ୱିଂଟାଲ ପିଛା 2500 ଟଙ୍କା ଦେବାର ବ୍ୟବସ୍ଥା କରିଛି । ଆଉ ଯଦି କଂଗ୍ରେସ ଓଡିଶାରେ କ୍ଷମତାକୁ ଆସେ ତେବେ ଏହାଠାରୁ ଅଧିକ ଅର୍ଥାତ୍ କ୍ୱିଟାଲ ପିଛା 2600 ଟଙ୍କା ଦେବ । ଛତିଶଗଡରେ ଧାନ ପାଇଁ 2500 ଟଙ୍କା ଦାମ ଦିଆଯାଉଛି ।

ନବୀନ ପଟ୍ଟନାୟକ ସରକାର ଆପଣଙ୍କୁ କେତେ ଦାମ ଦେଉଛନ୍ତି? ଜଳ, ଜମି ଜଙ୍ଗଲ ସବୁ ଆଦିବାସୀଙ୍କର । ଯେତେବେଳେ ଦିଲ୍ଲୀରେ ଆମ ସରକାର ଥିଲା, ସେତେବଳେ ଐତିହାସିକ ନିଷ୍ପତ୍ତି ନେଇଥିଲୁ । ପେଶା ଆଇନ କାର୍ଯ୍ୟକାରୀ କରିଥିଲୁ । ଜଳ, ଜମି, ଜଙ୍ଗଲ ଏହା ଉପରେ ଅଧିକାର ଆପଣଙ୍କୁ ହକ୍ ଦେଇଥିଲା କଂଗ୍ରେସ । ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇଥିବା ଆପଣଙ୍କ ଜମିକୁ ଫେରାଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଗଲାଣି । ଛତିଶଗଡ, ମଧ୍ୟପ୍ରଦେଶରେ ଜମି ଫେରା କାମ ଆରମ୍ଭ ହୋଇଛି । ଆମ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ଆଦିବାସୀ, ଚାଷୀଙ୍କୁ ବଜାର ଦର ଠାରୁ 4 ଗୁଣା ଅଧିକ ଅର୍ଥ ଦେଇ ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରାଯିବ ।

ସେମାନଙ୍କ ବିନା ସମ୍ମତିରେ ଜମି ନିଆଯିବନି । ଯଦି ଜମି ନିଆଗଲା ତେବେ 5 ବର୍ଷ ଭିତରେ ଶିଳ୍ପ ସ୍ଥାପନ ହେବା କଥା । ଆଉ ଯଦି ଏହି ସମୟ ମଧ୍ୟରେ ଶିଳ୍ପାନୁଷ୍ଠାନ ହେଲାନାହିଁ, ତେବେ ସେହି ଜମି ସିଧା ଆଦିବାସୀ ଓ ଚାଷୀଙ୍କୁ ଫେରାଇ ଦିଆଯିବ । ନବୀନ ପଟ୍ଟନାୟକ ସରକାର ଓ ବିଜେପି ସରକାର ଆପଣଙ୍କ ଠାରୁ ଆପଣଙ୍କ ଜମି ଛଡାଇ ନେବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସ ସରକାର ଓ ଏହାର ତମାମ ନେତା ଆଦିବାସୀଙ୍କ ଜମିକୁ ରକ୍ଷା କରିବେ । ଜଳ, ଜମି ଓ ଜଙ୍ଗଲ ଉପରେ ଥିବା ଆପଣଙ୍କ ହକ୍ର ରକ୍ଷା କଂଗ୍ରେସ କରିବ ।

Spread the love