ବନ୍ତଳା ପ୍ରେମ-ଅଶ୍ଳୀଳ ଭିଡ଼ିଓ ଭାଇରାଲ୍‌-ଆତ୍ମହତ୍ୟା ଘଟଣା ଯାଜପୁରରେ ଲୁଚିଛି ଖଳନାୟକ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):  ଆତ୍ମହତ୍ୟାକୁ ସପ୍ତାହେ ବିତିଗଲା। ଅବିବାହିତ ଝିଅ ବୋଲି ଧାର୍ମିକ ନିୟମରେ ଦଶ ଦିନକୁ ଅପେକ୍ଷା କଲେନି ପରିବାର, ସାତ ଦିନରେ ଆଜି ସାରି ଦେଲେ ଯୁବତୀଙ୍କ ଶୁଦ୍ଧି କର୍ମ। ଅଥଚ ପ୍ରେମ-ନଗ୍ନ ଭିଡ଼ିଓ ଭାଇରାଲ-ଆତ୍ମହତ୍ୟା ଭଳି କ୍ରମାନ୍ବୟ ସାଙ୍ଘାତିକ ଘଟଣାର ମୂଳ ଖଳନାୟକ ଚେହେରା ଏଯାବତ୍‌ ପଦାକୁ ଆସି ପାରିଲା ନାହିଁ। ଅଭିଯୁକ୍ତର ଫେସ୍‌ବୁକ୍ ଫଟୋ, ନାମ, ଗାଁ ଓ ଠିକଣା ଯଦିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଗାଁ ଲୋକେ ସବୁ କଥା ଜାଣିଛନ୍ତି, କିନ୍ତୁ ପୁଲିସ ଅଭିଯୁକ୍ତ ଯୁବକ ସମ୍ପର୍କରେ ଆଦୌ ମୁହଁ ଖୋଲୁ ନାହିଁ।
ଅପରପକ୍ଷେ ଗୋଟିଏ ସପ୍ତାହର ପର୍ଯ୍ୟାପ୍ତ ସମୟ ମଧ୍ୟରେ ଅଭିଯୁକ୍ତ ଖସି ପଳାଇବାରେ ସକ୍ଷମ ହୋଇଛି। ତାଳଚେରରୁ ସିଧା ଯାଜପୁର ଯାଇ ସେଠାରେ ଆତ୍ମଗୋପନ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। 
 ଉଲ୍ଲେଖଯୋଗ୍ୟ, ଗତମାସ ୩୧ତାରିଖରେ ବନ୍ତଳା ଥାନା ଅଞ୍ଚଳର ଜଣେ ୧୯ବର୍ଷ ବୟସ୍କା ଯୁବତୀଙ୍କ ଅଶ୍ଳୀଳ ନଗ୍ନ ଚାଟିଂ ଭିଡ଼ିଓ ଭାଇରାଲ ହୋଇଥିଲା। ଗୋଟିଏ କି ଦୁଇଟି ନୁହେଁ, ୫ଟି ଏମିତି ଭିଡ଼ିଓ କରି ପ୍ରତାରିତ ଯୁବକ ଭାଇରାଲ ରୂପକ ସାଙ୍ଘାତିକ ଖେଳ ଖେଳିଥିଲା। ଘଟଣା ପଦାକୁ ଆସିବା ପରେ ଗରିବ ଯୁବତୀଙ୍କ ପରିବାର ପୂରା ଭାଙ୍ଗି ପଡ଼ିଥିଲେ। ନିଜ ଝିଅକୁ ଆକଟ କରିଥିଲେ। କିନ୍ତୁ ସେତେବେଳକୁ ସବୁ କିଛି ସରି ଯାଇଥିଲା। ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଥିଲା ଭିଡ଼ିଓ। ଘଟଣା ଜଣାପଡ଼ିବା ପରେ ଭାଙ୍ଗି ପଡ଼ିଥିଲେ ଯୁବତୀ। ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଯାହା ଅନୁଗୁଳ ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଥିଲା। ଯୁବକ ଜଣକ ତାଳଚେର ଇଲାକାର ବୋଲି ସବୁଆଡ଼େ ହାଲ୍ଲା ହୋଇଥିଲା। ଗାଁ ଲୋକେ ବି କହିଥିଲେ।
ଏତେ ବଡ଼ ଘଟଣାରେ ଯୁବତୀଙ୍କୁ ଫସେଇ ଦେଇଥିବା ପଡ଼ୋଶୀ ଜଣେ ମହିଳାଙ୍କ ସମ୍ପୃକ୍ତି ସମ୍ପର୍କରେ ପରିବାର ଲୋକ ବଖାଣି ଥିଲେ। କିନ୍ତୁ ସପ୍ତାହେ ମଧ୍ୟ ଏଯାବତ୍‌ ପୁଲିସ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନେଇ ନାହିଁ। ଯୁବତୀଙ୍କ ଜୀବନ ସହିତ ସାଙ୍ଘାତିକ ବିଶ୍ବାସ ଘାତକତା କରିଥିବା ପ୍ରତାରିତ ବିବାହିତ ଯୁବକ ଏଯାବତ୍‌ ପୁଲିସ କବ୍‌ଜାକୁ ଆସି ପାରିନାହିଁ। ଅନୁଗୁଳ ବ୍ୟାଙ୍କ୍‌ ଲୁଟ୍‌ ଘଟଣାର ମାତ୍ର ତିନିଟା ଦିନରେ ସୁଦୂର ବିହାରରୁ ଡକାୟତଙ୍କୁ ବାନ୍ଧି ଆଣି ନିଜ ଦକ୍ଷତାର ପରିଚୟ ଦେଇଥିବା ଅନୁଗୁଳ ପୁଲିସ ବନ୍ତଳାରୁ ତାଳଚେର ଯାଏ ପହଞ୍ଚିବାକୁ ସପ୍ତାହେ କେମିତି ଲାଗିଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଫଳସ୍ବରୂପ ଯୁବକ ଜଣକ ତାଳଚେରରୁ ଖସି ଯାଜପୁର ପଳାଇବାରେ ସକ୍ଷମ ହେଲେ ବୋଲି ବୁଦ୍ଧିଜୀବୀ ମହଲ ପ୍ରତିକ୍ରିୟା ରଖିଛନ୍ତି। ଏ ସମ୍ପର୍କରେ ବନ୍ତଳା ଥାନା ଅଧିକାରୀ ସବ୍ୟସାଚି ରାଉତ ମୁହଁ ଖୋଲୁ ନାହାନ୍ତି। କିନ୍ତ  ଆଇପିସି ଧାରା ୩୦୬, ୫୦୦, ୨୯୦ରେ କେସ୍‌ ନମ୍ବର ୧୮/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି। 
 ଅନ୍ୟପକ୍ଷରେ ପୁଲିସ ତଦନ୍ତର ଶିଥିଳତା ନେଇ ଗାଁ ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରାନଗଲେ ଥାନାରେ ଧାରଣା ଦେବାକୁ ପରିବାର ଲୋକେ ଚେତାବନୀ ଦେଇଛନ୍ତି।
Spread the love