ଓଡ଼ିଶାର ବିକାଶ ଲାଗି ରାଜ୍ୟ ସହଯୋଗ ଜରୁରି: ନୀତିନ୍‌

 
ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): : କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ସଡ଼କ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ବ ନେବାପ‌ରେ ଓଡ଼ିଶା ଆସି କହିଥିଲି ଚଳିତ କାର୍ଯ୍ରକାଳ ମଧ୍ୟରେ ଏକ ଲକ୍ଷକୋଟି ଟଙ୍କାର ସଡ଼କ ନିର୍ମାଣ କାର୍ଯ୍ୟ କରିବି। ପାଂଚ ବର୍ଷ ସରିବା ପୂର୍ବରୁ ହିଁ ଏହି ପ୍ରତିଶ୍ରୁତି ରଖି ଏକ ଲକ୍ଷ କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ଶେଷ କରିବି ବୋଲି ଦୃଢୋକ୍ତି କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ତେବେ ଏଥିଲାଗି ରାଜ୍ୟ ସରକାରଙ୍କ ସହଯୋଗ ଅତି ଜରୁରି ବୋଲି ସେ କହିଛନ୍ତି।
କାମାକ୍ଷାନଗରଠାରେ ଆଜି ପୂର୍ବାହ୍ଣରେ ଆୟୋଜିତ ଉତ୍ସବରେ ତାଳଚେର-ଚଣ୍ଡୀଖୋଲ ଚାରିଥାକିଆ ସଡ଼କର ଶିଳାନ୍ୟାସ କରି ମନ୍ତ୍ରୀ ଶ୍ରୀ ଗଡ଼କରୀ ଭାଷଣ ପ୍ରସଙ୍ଗରେ ଗତ ସାଢେ ୪ ବର୍ଷରେ ଓଡ଼ିଶାରେ ନିର୍ମିତ ବିଭିନ୍ନ ଜାତୀୟ ରାଜପଥର ଲମ୍ବା ତାଲିକା ଦେବା ସହ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକର ନାମ ମଧ୍ୟ ପଢି ଶୁଣାଇଥିଲେ। ସେ କହିଥିଲେ, ୨୦୧୪ରେ ଓଡ଼ିଶାରେ ୪୬୩୨ କିମି ଜାତୀୟ ରାଜପଥ ରହିଥିଲା ବେଳେ ୨୦୧୮ରେ ଏହା ୯୪୨୬ କିମିକୁ ବୃଦ୍ଧି ପାଇଛି।
ରାଜ୍ୟ ସରକାରଙ୍କ ଏନଓସି, ଜମି ଅଧିଗ୍ରହଣ, ପରିବେଶ ମଂଜୁରି ତଥା ସିଆରଜେଡ୍‌ ଅନୁମତି ଅଭାବରୁ ୪୫୦ କିଲୋମିଟରର ତଟୀୟ ରାଜମାର୍ଗ, ରାଉରକେଲା ଦ୍ବିତୀୟ ବ୍ରାହ୍ମଣୀ ପୋଲ, ଟାଙ୍ଗି-ଭୁବନେଶ୍ବର ଛଅଥାକିଆ ରାସ୍ତା ସମେତ ସାଢେ୪ ହଜାରରୁ ଉର୍ଦ୍ଧ୍ବ ଦୀର୍ଘବିଶିଷ୍ଟ ନୂତନ ରାଜପଥ ନିର୍ମାଣ କାର୍ଯ୍ୟ ଅଟକି ରହିଛି। ରାଜ୍ୟ ସରକାର ସହଯୋଗ କଲେ ଏହି ସମସ୍ତ ପ୍ରକଳ୍ପ ଆସନ୍ତା ୪ରୁ ୬ ମାସ ମଧ୍ୟରେ ଆରମ୍ଭ ହେବ । ପ୍ରାୟ ୩ ହଜାର କୋଟି ଟଙ୍କା ବ୍ୟୟରେ ୧୩୦ କିମି ଦୀର୍ଘ ତାଳଚେର-ଚଣ୍ଡୀଖୋଲ ଚାରିଥାକିଆ ସଡ଼କ ନିର୍ମାଣ କାର୍ଯ୍ୟ ତୁରନ୍ତ ତ୍ବରାନ୍ବିତ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସେହିଭଳି  ବ୍ରାହ୍ମଣୀ, ମହାନଦୀକୁ ନେଇ ପ୍ରସ୍ତାବିତ ଜାତୀୟ ଜଳମାର୍ଗ କାର୍ଯ୍ୟ ମଧ୍ୟ ରାଜ୍ୟର ଏନଓସି ମିଳିଲେ ଆସନ୍ତା ୪ ମାସ ମଧ୍ୟରେ ତ୍ବରାନ୍ବିତ ହେବ। ଏହାଛଡ଼ା ଜଳସଂପଦର ସୁପରିଚାଳନା ଲାଗି ପାୱାର ଗ୍ରିଡ୍‌ ଭଳି ୱାଟର୍‌ ଗ୍ରିଡ୍ ନିର୍ମାଣ ଯୋଜନା ହେଉଛି। ‌କେନାଲ ବଦଳରେ ପାଇପ ଯୋଗେ କୃଷିକାର୍ଯ୍ୟ ଲାଗି ଜଳଯୋଗାଣ ଉପରେ କେନ୍ଦ୍ର ସରକାର ଗୁରୁତ୍ବାରୋପ କରୁଛନ୍ତି। ଏହାଦ୍ବାରା କୃଷିର ବିକାଶ ସମ୍ଭବ ହୋଇପାରିବ। 
ଶ୍ରୀ ଗଡ଼କରୀ କହିଥିଲେ ଯେ ଓଡ଼ିଶା ଏକ ଖଣିଜ ସଂପଦରେ ଭରପୂର ରାଜ୍ୟ। ଏଠାରେ ପାଣି, ବିଜୁଳି, ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥା‌େର ଉନ୍ନତି ହେଲେ ରାଜ୍ୟର ବିକାଶ ହୋଇପାରିବ ଓ ବେକାରି ସମସ୍ୟା ମଧ୍ୟ ଦୂର ହୋଇପାରିବ। ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ଓଡ଼ିଶା‌େର ଏହି କ୍ଷେତ୍ରଗୁଡ଼ିକର ବିକାଶ ଲାଗି ସଂକଳ୍ପବଦ୍ଧ ବୋଲି ସେ କହିଥିଲେ। 
ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ। ତେବେ  ମହିମାଗାଦିକୁ ଜଳଯୋଗାଣ ଲାଗି କେନ୍ଦ୍ର ସରକାର ୧୭ କୋଟି ଟଙ୍କା ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏନଓସି ଦେଉନଥିବାରୁ ଏହି ପ୍ରକଳ୍ପ ଦୀର୍ଘଦିନ ହେଲା ଅଟକି ରହିଛି । ସେହିଭଳି ପରଜଙ୍ଗ-ଖଡ଼ଗପ୍ରସାଦ ଜାତୀୟ ରାଜପଥ କାର୍ଯ୍ୟ ମଧ୍ୟ ରାଜ୍ୟର ଅସହଯୋଗରୁ ଅଟକି ରହିଛି। ଏଥିଲାଗି ସେ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ।
ରାଜ୍ୟ ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉତ୍ସବରେ ଯୋଗଦେଇ ତାଳଚେର-ଚଣ୍ଡୀଖୋଲ ରାଜପଥ ନିର୍ମାଣ ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇବା ସହ ଏହି ରାସ୍ତାର ଚାରିଥାକିଆ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। 
ଉତ୍ସବରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶାରୀରିକ ଅକ୍ଷମ ବ୍ୟକ୍ତିମାନଙ୍କୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। 
Spread the love