ସେବାୟତଙ୍କ କରୋନା ଟେଷ୍ଟ: ପ୍ରଥମ ପର୍ଯ୍ୟାୟରେ ୫୫ଜଣଙ୍କ ରିପୋର୍ଟ ନେଗେଟିଭ୍‌

ପ୍ରଶାସନର ବିଭିନ୍ନ କଟକଣା ମଧ୍ୟରେ ରଥ ନିର୍ମାଣରେ ବ୍ୟସ୍ତ ରହିଛନ୍ତି ସେବାୟତମାନେ। ରଥନିର୍ମାଣ କାର୍ଯ୍ୟ ବିଳମ୍ୱରେ ଆରମ୍ଭ କରାଯାଇଥିବାରୁ ସେବାୟତମାନେ ରଥଖଳାରେ ଅଧିକ ସମୟ ଅତିବାହିତ କରୁଛନ୍ତି । ସୁବିଧା ନିମନ୍ତେ ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଓ ରହଣୀର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ ତରଫରୁ ସମସ୍ତ ସତର୍କତା ଅବଲମ୍ୱନ କରାଯାଉଛି । ଏହି କ୍ରମରେ ସେବାୟତମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

ସୂଚନା ଅନୁସାରେ ସମୁଦାୟ ୧୮୮ଜଣ ସେବାୟତ ରଖଖଳାରେ କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ମହାରଣା ସେବାୟତ, ଭୋଇ ସେବାୟତ, ରୂପକାର ସେବାୟତ ଓ ଓଝା ସେବାୟତ। ଏହି ସମସ୍ତ ସେବାୟତଙ୍କର ପର୍ଯ୍ୟାୟକ୍ରମରେ କରୋନା ଟେଷ୍ଟ ପାଇଁ ସ୍ୱାବ୍‌ ସଂଗ୍ରହ କରାଯାଇଥିଲା । ତେବେ ୫୫ଜଣଙ୍କ ରିପୋର୍ଟ ଇତିମଧ୍ୟରେ ନେଗେଟିଭ୍‌ ଆସିଛି ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ସ୍ୱାବ୍‌ ରିପୋର୍ଟ ଖୁବ ଶୀଘ୍ର ପହଞ୍ଚିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ-ପ୍ରଶାସକ ବଲଓ୍ୱନ୍ତ ସିଂହ । ଏଠାରେ ପ୍ରକାଶଯୋଗ୍ୟ ଯେ, ରଥଖଳାରେ ରଥକାର୍ଯ୍ୟରେ ନିୟୋଜିତ ସେବାୟତଙ୍କ ଭଳି ସ୍ନାନଯାତ୍ରା ସହିତ ସମ୍ପୃକ୍ତ ସେବକଙ୍କ କୋଭିଡ୍‌ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ କହିସାରିଛି ।

Spread the love