“ମାଆ”

ମୁଣ୍ଡ ଫଟା ଖରାରେ ଦୁଇଦୁଇ ଟା ପୁଅକୁ କାଖରେ ଗୁଞ୍ଜି ହାତରେ ଆବଶ୍ୟକୀୟ ପଦାର୍ଥ ପିଲାଙ୍କ ପାଇଁ ଧରି ବାଟ ମାପୁଚି ଗନ୍ତବ୍ୟରେ । ଏତେ ଶକ୍ତି ତାର ନାହିଁ ଏତେ ବୋଝ ଉଠେଇବା ପାଇଁ । ଶକ୍ତି ବି ନାହିଁ ତଥାପି ଆତ୍ମ ବିଶ୍ଵାସରେ ଚାଲିଛି ମାଆ । ଘରେ ପହଂଚିବ । ଜୀବନ ଜଞ୍ଜାଳ ଭିତରେ ଏହା ଏକ ବିରାଟ ବିଷମ ପରିସ୍ଥିତି । ବେମାର ଆସିଛି । ସବୁ ଲୋକେ ପଳାୟନ କରୁଛନ୍ତି ନିଜ ନିଜ ଗାଁ ଆଡେ ।

ମାଆ ଟିଏ ଧାଇଁଛି ବି ତା’ ଗାଁ ଆଡେ । ବାଟରେ କାଖରୁ ଓହ୍ଲେଇ ବ୍ୟାଗ୍ ରୁ ବିସ୍କୁଟ କି କଣ୍ ଟାଏ ଖୋଇ ଦେଉଛି ଆଉ ପାଣି ମୁନ୍ଦାଏ ପିଆଇ ଦଉଛି ତା’ ପିଲାକୁ। କାନିରେ ମୁଁହ ପୋଛି ଦେଉଛି। ଛାଇ ଦେଖି ଟିକେ ଗଛ ତଳେ ଶୋଏଇ ଦେଉଛି । ନିଜେ ଥକି ଥିଲେ ବି ଆରାମ କରି ପାରୁନି । ଆଖି ଲାଗି ଗଲେ ଆଉ ବାଟ ଚାଲି ବାକୁ ସାହସ ଯୋଟେଇ ପାରିବନି । ପୁଣି ପିଠିରେ କାନ୍ଧରେ କୋଳେଇ ରାସ୍ତା ମାପୁଛି ଝାଳନାଳ ହେଇ ।

କେଡେ ଜିଦଖୋର ଏ ମାଆ ମାନେ । ତା ପୁଅ ବାସ୍ । ତା ଝିଅ । ତା ପାଇଁ ହୀରାଲୀଳା ଠାରୁ କମ ନୁହେଁ । ସେ ତାକୁ କୋଳରେ ଧରେ । କଳା ଟୀକା ପିନ୍ଧାଏ । ଗଳାରେ କଣ୍ଠି ବାନ୍ଧେ । ହାତରେ ଡେଉଁରିଆ ,ମୁଣ୍ଡରେ କଳା ଟୋପା । ପାଦରେ ଘୁଙ୍ଗୁର । ବେକରେ କଳା ଫିତା ।

ଦେହ ଖରାପ ହେଲେ ଠାକୁରାଣୀ ପାଖରେ ଅଧିଆ ପଡିଯାଏ । ଉପାଶ ରହେ। ମାନସିକ ରଖେ । ଖାଇବା କମ କରିଦିଏ । ରାତିରେ ଉପାସ ଶୁଏ । ପାଠ ପଢାଏ । ସ୍କୁଲ୍ ଫେରନ୍ତା କୁ ଅପେକ୍ଷା କରେ ।
ପିଲା ଟିକେ ଝାଉଁଳି ପଡ଼ିଲେ ନଜର ଲାଗିଛି କହି ଗୁଣିଆଁ ଡାକି ଝଡାଏ । ଓଷାବ୍ରତ କରେ । ରାତି ଅନିଦ୍ରା ରହି ପାଠ ପଢିବା କୁ ଜଗି ବସେ । ତା ପରେ ପିଲା ବଡ଼ ହେ।ଇଯାଏ ।
ଏସବୁ ପାଇଁ ମାଆ ଟିଏ ପାଉଣା ନିଏ ନା କୌଣସି ସର୍ତ୍ତ ରଖିଥାଏ ।

ହଠାତ୍ ଦିନେ ଚଢେଇ ବସାରୁ ଶାବକ ଉଡିଗଲା ଭଳି ଚଢେଇ ବସା ଖାଲି ହେଇଯାଏ । ଆଉ ମୁଁହ ଶୁଖେଇ ଚଢ଼େଇ ମା ପିଲାଙ୍କ ଫେରିବାର ରାସ୍ତା କୁ ଅନେଇ ଥାଏ ।

ତା’ ପରେ ପୁଅ ବଡ଼ ହେଇ ଯାଏ । ସେ ତା ହିସାବରେ
ମାଆକୁ ନିଜ ଅକ୍ତିୟାର ରେ ରଖେ । କିଏ କହେ ଯାହା ଦଉଛି ଖାଇନେ, ନ ହେଲେ ଘରୁ ବାହାର କରିଦେବି । ଯେମିତି ବୁଢ଼ା କାଳରେ ମାଆର ଖାଇବା ର ସ୍ଵାଦ ନ ଥାଏ ।

କିଏ ମାସମାସ ପାଳି କରି ମାଆକୁ ବାଣ୍ଟିନିଏ । କିଏ ଅନାଥ ଆଶ୍ରମ ରେ ଛାଡି ଦେଇ ଆସେ । କିଏ ଭିକ ମାଗିବାକୁ ବାଧ୍ୟ କରାଏ ।

***************************************

ସମାଜରେ ଏତେ ସବୁ ମାତୃ ଅତ୍ୟାଚାର ର ନଗ୍ନଚିତ୍ର ଦେଖିବା ପରେ ବି ଆଜି ମାଆ ଟିଏ ତା ଛୁଆକୁ ଅଣ୍ଡାଳି ଅଣ୍ଟିରେ ପୁରାଏ ।

Spread the love