ଇଟାଭାଟି ମାଲିକ ସହ ୫ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): ଜରପଡ଼ା ଥାନା କୁଶକିଳା ଦଳିତ ସାହିର ଜଣେ ଇଟାଭାଟି ଶ୍ରମିକ ବୁଧ ନାଏକ(୪୬)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ବୁଧଙ୍କୁ ହତ୍ୟା ଅଭିଯୋଗରେ ଉତ୍ତ୍ୟକ୍ତ ଗ୍ରାମବାସୀ ଆଜି ଇଟାଭାଟିର ମାଲିକଙ୍କ ସମେତ ୫ ଜଣ ଶ୍ରମିକଙ୍କୁ ଗ୍ରାମ କୋଠଘ‌େର ତାଲା ପକାଇ ଅଟକ ରଖିଥି‌େଲ। କ୍ଷତିପୂରଣ ନଦେଲେ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଅଡ଼ି ବସିଥିଲେ। ତେବେ ପୁଲିସ ସେମାନଙ୍କୁ ବୁଝାସୁଝା କରାଇ ଅଟକମାନଙ୍କୁ ଉଦ୍ଧାର କରିଥିବା ପ୍ରକାଶ। ଏ ସଂକ୍ରାନ୍ତରେ ପୁଲିସ ଜରପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଯଣାର ତଦନ୍ତ ଚଳାଇଛି। 

ଘଟଣାରୁ ପ୍ରକାଶ ଯେ ବୁଧ ନାଏକ ଗାଁ ନିକଟରେ ଥିବା ଏକ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଅନ୍ୟଦିନ ଭଳି ଗତ ମଙ୍ଗଳବାର ସେ କାମକୁ ଯାଇଥିଲେ। କିନ୍ତୁ ଗତକାଲି ରାତି ସୁଦ୍ଧା ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରି ଗାଁ ମୁଣ୍ଡ ପୋଖରୀ ନିକଟ ବିଲହୁଡ଼ାରେ ତାଙ୍କ ମୃତଦେହ ପଡ଼ିଥିବ‌ା ଦେଖିବାକୁ ପାଇଥିଲେ। ବୁଧଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ।ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଇଟାଭାଟିରେ କାର୍ଯ୍ୟ କରୁଥିବା ଅନ୍ୟ ଶ୍ରମିକ ଓ ମାଲିକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଗ୍ରାମବାସୀ ସଂପୃକ୍ତ ଇଟାଭାଟି ମାଲିକଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଥିଲେ।

ଖବରପାଇ ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲା। ତେବେ ମୃତକଙ୍କ ୩ ଛୋଟ ସନ୍ତାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବା ପରେ ଅଟକ ୫ଜଣଙ୍କୁ ଛାଡିବା ପାଇଁ ଗ୍ରାମବାସୀ ଓ ବୁଧଙ୍କ ପରିବାର ଲୋକେ ଅଡ଼ି ବସିଥିଲେ। ପୁଲିସ ସେମାନଙ୍କୁ ବହୁ ବୁଝାସୁଝା କରାଇ ୫ ଅଟକ ଲୋକଙ୍କୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ମୃତକଙ୍କ ଝିଅ ରୀତା ନାଏକଙ୍କ ଏତଲା ଅନୁଯାୟୀ (୦୨/୧୯) ପୁଲିସ ଜରପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ବିନ୍ଦୁବାସିନୀ ବିଶ୍ୱାଳ ସୂଚନା ଦେଇଛନ୍ତି। 

Spread the love