ପଙ୍ଗପାଳ ଆକ୍ରମଣ ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୨୭/୦୫: ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ରାଜ୍ୟରେ ପଙ୍ଗପାଳ ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି। ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ନେଇ ଓୟୁଏଟି ପକ୍ଷରୁ ଗତକାଲି ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ପାକିସ୍ତାନପଟୁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଭାରତ ଆଡକୁ ମାଡିଆସୁଛି। ଫସଲ ଖାଇଯାଉଥିବା ଏହି କୀଟ ରାଜସ୍ଥାନରେ ବ୍ୟାପକ ଫସଲନଷ୍ଟ କରିବାପରେ ଏବେ ମଧ୍ୟପ୍ରଦେଶରେ ପଂହଚିସାରିଲାଣି। ଓଡିଶା ଆସିବା ସମ୍ଭାବନାକୁ ଏଡାଇଦିଆଯାଇନପାରେ ।

ତେଣୁ ଏନେଇ ଚାଷୀଙ୍କୁ ସତର୍କ କରାଇଛି ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ । ଏଥିରେ ପଙ୍ଗପାଳଙ୍କ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ଓୟୁଏଟି ଏକ୍ସଟେନ୍ସନ ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ଓଡିଶା ଚାଷୀ ପଙ୍ଗପାଳ ପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ଓଡିଶାରେ ନିକଟ ଅତୀତରେ କେବେ ପଙ୍ଗପାଳ ଆକ୍ରମଣ ହୋଇନାହିଁ ।

ପୂର୍ବ ଆଫ୍ରିକାରେ ଅଦିନିଆ ବର୍ଷା ଫଳରେ ଏହି ପଙ୍ଗପାଳଙ୍କ ଉତ୍ପତି ହୋଇଛି। ଏହାକ୍ରମେ ଭାରତର କିଛି ରାଜ୍ୟକୁ ଆସିଯାଇଛନ୍ତି । ଲିମ୍ବ ତେଲ ଫସଲରେ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ପଡୋଶୀ ରାଜ୍ୟ ଛତିଶଗଡକୁ ଆସନ୍ତି ତେବେ ସୀମାନ୍ତବର୍ତୀ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Spread the love