ଦୋଷୀକୁ ୭ବର୍ଷ ଜେଲ୍

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):  : ବିବାହ ପୂର୍ବରୁ ଯୁବତୀଙ୍କୁ ରାସ୍ତାରୁ ଅପହରଣ ଓ ପରେ ମନ୍ଦିରରେ ଜବରଦସ୍ତ ବିବାହ ଉଦ୍ୟମ ମାମଲାର ରାୟ ଗୁରୁବାର ଅନୁଗୁଳ ସ୍ବତନ୍ତ୍ର ତ୍ବରିତ ନ୍ୟାୟାଳୟରେ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ନ୍ୟାୟାଧୀଶ ପ୍ରଣତି ପଟ୍ଟନାୟକ ଛେଣ୍ଡିପଦା ଥାନା କଣଲୋଇ ଗାଁର ଅଭିଯୁକ୍ତ ଦୋଳଗଞ୍ଜନ ମାଝୀଙ୍କୁ(୩୪) ଦୋଷୀ ସାବ୍ୟସ୍ତ କରିବା ସହିତ ସାତ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ତା’ ସହିତ ୧୦ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ୍ ଦଣ୍ଡାଦେଶ ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। 

ପ୍ରାପ୍ତ ସୂଚନା ମୁତାବକ, ୨୦୧୬ମସିହା ଫେବ୍ରୁଆରି ୨୭ତାରିଖରେ ଏହି ଘଟଣା ଘଟିଥିଲା। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ବିବାହ ଠିକ୍ ହୋଇ ସାରିଥିଲା। ଯୁବତୀ ଜଣକ ନିଜ ମାମୁ ଓ ମାଉସୀ ସହ ବାହାଘର ଜିନିଷ କିଣାକିଣି ପାଇଁ ବାଗେଡ଼ିଆକୁ ଆସିଥିଲେ। ବାଇକ୍‌ରେ ଘରକୁ ଫେରୁଥିବା ବେଳେ ସରପାଳ ଗାଁ ଲତାଖଣ୍ଡିଠାରେ ଏକ ବୋଲେରୋ (ଓଆର୍ ୧୯ଏମ୍-୦୫୯୩) ଓ ସିବିଜେଡ୍‌ ବାଇକରେ ଶ୍ରୀ ମାଝୀ ଓ ତା’ର କିଛି ସହଯୋଗୀ ଆସି ବାଟରେ ଯୁବତୀଙ୍କ ବାଟ ଓଗାଳିଥିଲେ। ବୋଲେରୋରେ ଯୁବତୀଙ୍କୁ ଅପହରଣ କରି ନେଇ ପାତ୍ରପଡ଼ା ମାଉସୀ ଘରେ ରଖିଥିଲେ।

ତା’ ପରଦିନ ବାୟାଣୀ ପୀଠରେ ବିବାହ କରିବା ପାଇଁ ଯୁବତୀଙ୍କୁ ନେଇ ଶ୍ରୀ ମାଝୀ ଯାଉଥିବା ବେଳେ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏନେଇ ଯୁବତୀଙ୍କ ମାମୁଙ୍କ ଏତଲା କ୍ରମେ ଛେଣ୍ଡିପଦା ଥାନ‌ା ପୁଲିସ ୨୬/୨୦୧୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀ ମାଝୀଙ୍କୁ ଗିରଫ କରିଥିଲା। ଅନୁଗୁଳ ସ୍ବତନ୍ତ୍ର ତ୍ବରିତ ନ୍ୟାୟାଳୟରେ ମାମଲାର ବିଚାର ଚାଲିଥିଲା। ନଅ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତ ଶ୍ରୀ ମାଝୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ପି.ପି. ପ୍ରଦୀପ କୁମାର ଭୂତିଆ ମାମଲା ପରିଚାଳନା କରିଥିଲେ।

Spread the love