ଏପ୍ରିଲ ୭ରୁ ଜେଇଇ ମେନ୍‌

ଇଞ୍ଜିନିୟରି˚ ଓ ଆର୍କିଟେକ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ 7 ରୁ 20 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟି˚ ଏଜେନ୍ସି(ଏନ୍‌ଟିଏ) ଦ୍ବାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରି 8 ରୁ 12 ତାରିଖ ମଧ୍ୟରେ ହୋଇଥିଲା। ପେପର‌୍‌-1 ପରୀକ୍ଷା ଫଳ ଜାନୁଆରି 19 ଓ ପେପର‌୍‌-2 ପରୀକ୍ଷା ଫଳ ଜାନୁଆରି 31ରେ ପ୍ରକାଶ ପାଇ ସାରିଛି। ଏବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଏନ୍‌ଟିଏ।
ବିଜ୍ଞପ୍ତି ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଜାନୁଆରିରେ ଅନୁଷ୍ଠିତ ଜେଇଇ ମେନ୍‌ ପରୀକ୍ଷା ଦେଇଛନ୍ତି, ସେମାନେ ଆହୁରି ଭଲ କରିବା ପାଇଁ ଏପ୍ରିଲରେ ପରୀକ୍ଷା ଦେଇପାରିବେ। ତାହା ପରୀକ୍ଷାର୍ଥୀଙ୍କ ଇଚ୍ଛା ଉପରେ ନିର୍ଭର କରେ। ଜାନୁଆରିରେ ପରୀକ୍ଷା ଦେଇପାରି ନଥିବା ପରୀକ୍ଷାର୍ଥୀ ବି ଏହି ପରୀକ୍ଷାରେ ଭାଗ ନେଇପାରିବେ। ଯେଉଁମାନେ ଉଭୟ ପରୀକ୍ଷା ଦେଇଥିବେ, ଭଲ କରିଥିବା ପରୀକ୍ଷାର ମାର୍କକୁ ବିଚାରକୁ ନିଆଯାଇ ମେରିଟ୍‌ ଲିଷ୍ଟ ତଥା ରୢାଙ୍କିଙ୍ଗ୍‌ ପ୍ରକାଶ କରାଯିବ। ଏପ୍ରିଲ‌ରେ ହେବାକୁ ଥିବା ଜେଇଇ ମେନ୍‌ରେ ଭାଗ ନେବାକୁ ଚାହୁଥିବା ଛାତ୍ରଛାତ୍ରୀ ଆଜିଠାରୁ ମାର୍ଚ୍ଚ 7 ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ମାର୍ଚ୍ଚ 8 ତାରିଖ ସୁଦ୍ଧା ପରୀକ୍ଷା ଫି’ ଦାଖଲ କରିହେବ। ଅଫ୍‌ଲାଇନ୍‌ରେ କୌଣସି ପ୍ରକାର ଫର୍ମ ଗ୍ରହଣ କରାଯିବ ନାହିଁ। ଏନେଇ ସବିଶେଷ ତଥ୍ୟ ‘www.nta.ac.in’ ଓ ‘www.jeemain.nic.in’ରେ ପାଇପାରିବେ। ଏଥର ବି ଜେଇଇ ମେନ୍‌ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବ। ପେପର‌୍‌-1(ମ୍ୟାଥମେଟିକ୍‌, ଫିଜିକ୍ସ ଓ କେମେଷ୍ଟ୍ରି) ପରୀକ୍ଷା ଦୁଇଟି ସିଫ୍ଟ(ସକାଳ 9ଟା 30ରୁ 12ଟା 30 ଓ ଅପରାହ୍ନ 2ଟା 30ରୁ 5ଟ 30)ରେ ଅନୁଷ୍ଠିତ ହେବ। ପେପର‌୍‌-2(ବି ଆର୍କ/ବି ପ୍ଲାନି˚) ପରୀକ୍ଷା ଦୁଇରୁ ଅଧିକ ସିଫ୍ଟରେ ହୋଇପାରେ ବୋଲି କୁହାଯାଇଛି।

Spread the love