୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୯/୦୫:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନଫରେନ୍ସିଂ  ଜରିଆରେ ଦେଶର ବିଭିନ୍ନ ଅଂଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ କରିଛନ୍ତି । ଆଗାମୀ  ଦିନରେ ଭାରତରେ ସବୁ ଲୋକଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବା ଆମର ଲକ୍ଷ୍ୟ ବୋଲି ଏହି  ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି । ଏହି ଲୋକର୍ପଣ କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ତଥା ଗ୍ୟାସ ମନ୍ତ୍ରଣାଳୟର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନର ବିପଦ ସମୟରେ ଟେକ୍ନୋଲୋଜି ମାଧ୍ୟମରେ ଆତ୍ମନିର୍ଭର ଭାରତ ପାଇଁ ସମସ୍ତେ କାମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦେଶର ବିଭିନ୍ନ ଅଂଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ ହୋଇଯାଇଛି। ଏହା ସିଜିଡି ବା ସିଟି ଗ୍ୟାସ ବିତରଣ କ୍ଷେତ୍ରରେ ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ଏବଂ ୫୩ ପ୍ରତିଶତ ଭୌଗଳିକ କ୍ଷେତ୍ରକୁ ଆଚ୍ଛାଦିତ କରୁଛି । ଦେଶକୁ ଗ୍ୟାସ  ଆଧାରିତ ଅର୍ଥନୀତି କରିବାରେ ଏହା ସହାୟକ ହେବ ।  ଦେଶରେ ପେଟ୍ରୋଲ, ଡିଜେଲ ତଥା ପ୍ରାକୃତିକ ଗ୍ୟାସ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଖୁବ ଶୀଘ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ମୋବାଇଲ ଭ୍ୟାନ ଆରମ୍ଭ କରାଯିବ । ସେହିପରି ଘରେ ଘରେ ମଧ୍ୟ ଇନ୍ଧନ ପହଁଚାଇବା ପାଇଁ ଆଗାମୀ ଦିନରେ ଯୋଜନା ପ୍ରସ୍ତୁତ ହେବ । ପେଟ୍ରୋଲିୟମ ବିଭାଗ ନିଜ
କ୍ଷେତ୍ରର ଭିତିଭୂମିକୁ ମଜବୁତ୍ କରିବା ପାଇଁ କରୁଥିବା କାମ ପ୍ରଶଂସୀନୟ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

“ଲୋକଙ୍କ ପାଖରେ ଇନ୍ଧନ ପହଁଚାଇବା ପାଇଁ ଶୁବ ଶୀଘ୍ର ମୋବାଇଲ ଭ୍ୟାନ ଆରମ୍ଭ କରାଯିବ ।ଗତ ୬ ବର୍ଷରେ ଦେଶରେ ସିଜିଡି ନେଟୱାର୍କର ସଂପ୍ରସାରଣରେ ଅଭୁତପୂର୍ବ ଅଭିବୃଦ୍ଧି ।ସିଏନଜି ଷ୍ଟେସନ ୨୦୧୪ରେ ୯୩୮ ଥିଲା, ଏବେ ଏହି ସଂଖ୍ୟା ୨୨୦୭କୁ ବୃଦ୍ଧି ।ସିଜିଡି ନେଟୱାର୍କର ପ୍ରସାର ଲୋକଙ୍କ ଜୀବନଶୈଳିରେ ଅଭୁତପୂର୍ବ ପରିବର୍ତନ ଆଣିବ ।୨୦୩୦ ସୁଦ୍ଧା ଉର୍ଜା କ୍ଷେତ୍ରରେ ଗ୍ୟାସର ଭାଗ ୧୫ ପ୍ରତିଶତ କରିବା ଲକ୍ଷ୍ୟ” ।

ସେ କହିଛନ୍ତି ଯେ ଗତ ୬ ବର୍ଷରେ ଦେଶରେ ପ୍ରାକୃତିକ ଗ୍ୟାସ କ୍ଷେତ୍ର ବା ସିଜିଡି ନେଟୱାର୍କର ସଂପ୍ରସାରଣରେ ଅଭୁତପୂର୍ବ ଅଭିବୃଦ୍ଧି ଘଟିଛି । ୨୦୧୪ ସୁଦ୍ଧା ଦେଶରେ ସିଜିଡି ନେଟ୍‌ୱାର୍କ ସଂଖ୍ୟା  ୩୪ଥିଲା ଯାହା ୬୬ଟି ଜିଲ୍ଲାକ କଭର କରୁଥିଲା । ଏବେ ଏପ୍ରିଲ ସୁଦ୍ଧା ଏହି ସଂଖ୍ୟା ୨୩୨କୁ ବୃଦ୍ଧି ପାଇଛି, ଯାହା ୪୦୭ଟି ଜିଲ୍ଲା ବା ସହରକୁ କଭର କରୁଛି । ସେହିପରି ୨୦୧୪ରେ ଘରୋଇ ପିଏନଜି ସଂଖ୍ୟା ୨୫.୪ ଲକ୍ଷ ଥିଲା ଏବେ ତାହା ୬୦.୬୮ ଲକ୍ଷରେ ପହଁଚିଛି । ୨୦୧୪ରେ ଶିଳ୍ପ ପାଇଁ ପିଏନଜି ଏବଂ ବାଣିଜ୍ୟିକ ପାଇଁ ପିଏନଜି ସଂଖ୍ୟା ୨୮ ହଜାର ଥିଲା ଏବଂ ତାହା ବୃଦ୍ଧି ପାଇ ଏପ୍ରିଲ ମାସରେ ୪୦ ହଜାର ୮୮୦ରେ ପହଁଚିଛି । ଦେଶରେ ସିଏନଜି ଷ୍ଟେସନ ମଧ୍ୟ ୯୩୮ରୁ ୨୨୦୭କୁ ବୃଦ୍ଧି ପାଇଛି । ସିଏନଜି ଗାଡି ମଧ୍ୟ ୨୨ ଲକ୍ଷରୁ ୩୩.୭୫ ଲକ୍ଷରେ ପହଁଚିଛି । ସିଜିଡି ନେଟୱାର୍କର ପ୍ରସାର ଲୋକଙ୍କ ଜୀବନଶୈଳିରେ ଅଭୁତପୂର୍ବ ପରିବର୍ତନ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଚୀନ ଓ ଆମେରିକା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର। ଦେଶରେ ଉର୍ଜା ଚାହିଦାରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି। ଉର୍ଜା କ୍ଷେତ୍ରରେ ବର୍ତମାନ ଦେଶରେ ଗ୍ୟାସର ସେୟାର ୬.୨ ପ୍ରତିଶତ ରହିଛି ଏବଂ ୨୦୩୦ ସୁଦ୍ଧା ଏହାକୁ ୧୫ ପ୍ରତିଶତ କରାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Spread the love