ନାଲକୋରେ ନିଯୁକ୍ତି ପାଇଁ ରେଳରୋକ, କୋଇଲା ପରିବହନ ଠପ୍‌

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):  ନାଲକୋ କ୍ଷତିଗ୍ରସ୍ତ ଏଲ୍‌ଏପି ପ୍ରଜା ମହାସଂଘ ପକ୍ଷରୁ ନିଯୁକ୍ତି ଦାବିରେ ଶୁକ୍ରବାର ସକାଳୁ ସିପିପି ରେଲୱ ଫାଟକଠାରେ ରେଳରୋକ ଆନ୍ଦୋଳନ କରାଯାଇଛି। ଫଳରେ ସିପିପି ପ୍ଲାଣ୍ଟକୁ  କୋଇଲା ପରିବହନ ଠପ୍ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ଷତିଗ୍ରସ୍ତ ଏଲ୍‌ଏପି ପ୍ରଜା ମହାସଂଘ ପକ୍ଷରୁ  କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଏ ନେଇ ସଂଘ ପକ୍ଷରୁ ପ୍ରଥମେ ନାଲକୋ ପ୍ରଶାସନ ଓ ପରେ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିଛିଦିନ ପୂର୍ବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ୟାର ସମାଧାନ ପାଇଁ ଏକ  ବୈଠକ ଆୟୋଜିତ ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ କେଉଁମାନଙ୍କୁ ନିଯୁକ୍ତି ଦିଆଯିବ,ସେ ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ନାଲକୋ ଅାଖପାଖ ୩୯ଟି ଗ୍ରାମାଞ୍ଚଳରେ ୨ଶହରୁ ଅଧିକ ଜମିହରା କ୍ଷତିଗ୍ରସ୍ତ ଅଛନ୍ତି। ସେମାନଙ୍କ ନିଯୁକ୍ତି ପାଇଁ ନାଲକୋ ଅଧିକାରୀ ଓ ଜିଲ୍ଲା ପ୍ରଶାସନ  କୌଣସି ପଦକ୍ଷେପ ନେଉ ନଥିବା  ନାଲକୋ କ୍ଷତିଗ୍ରସ୍ତ ଏଲଏପି ପ୍ରଜା ମହାସଂଘର ସଭାପତି ଅଖିଳ ପଣ୍ଡା, ଉପ ସଭାପତି, ଦୟାନିଧି ସାମଲ, ସମ୍ପାଦକ ଲଲାଟ ସାମନ୍ତସିଂ,ସୁନୀଲ ଭୂତିଆ, ପ୍ରକାଶ ନାୟକ, ଚିତ୍ତରଞ୍ଜନ ସାମଲ, ସରୋଜ  ବେହେରା, ସୁରେଶ ବିଶ୍ୱାଳ, ସୁଜିତ ସାମଲ ପ୍ରମୁଖ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ  ଆନ୍ଦୋଳନ ଯୋଗୁଁ ଆଜି ସକାଳୁ  ସିପିପି ପ୍ଲାଣ୍ଟକୁ କୋଇଲା ପରିବହନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ କୋଇଲା ପରିବହନ ବନ୍ଦ ରହିବ ବୋଲି  ସଂଘର କର୍ମକର୍ତ୍ତାମାନେ କହିଛନ୍ତି। 
Spread the love