ଅନ୍‌ଲକ୍-୧ : ପଢନ୍ତୁ ରାଜ୍ୟ ସରକାରଙ୍କ କ’ଣ ରହିଛି ନୂଆ ଗାଇଡ୍‌ଲାଇନ୍

ଆଜିଠୁ ସମଗ୍ର ଦେଶରେ ଅନ୍‌ଲକ୍-୧ ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟି ଦେଇ ଓଡ଼ିଶା ସରକାର ଜୁନ୍ ମାସ ପାଇଁ ନିଜସ୍ବ ମାର୍ଗଦର୍ଶିକା ଘୋଷଣା କରିଛନ୍ତି।  ଏନେଇ  ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  କହିଛନ୍ତି ଯେ , ଜୁନ୍ ମାସ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଵର୍ତମାନ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଯୋଗୁଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବେ ସୁଦ୍ଧା ରାଜ୍ୟକୁ ଫେରିଲେଣି ୪ ଲକ୍ଷ୨୬, ୫୦୪ ଜଣ ପ୍ରବାସବାସୀ।

ତେଣୁ, କରୋନାଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ରାଜ୍ୟ ସରକାର କେତେକ ନିୟମ ପ୍ରଣୟନ କରିଛନ୍ତି। ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଜୁଲାଇ ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ଖୋଲିବ ନାହିଁ। ଜୁନ୍ ୩୦ ଯାଏଁ କୌଣସି ସପିଙ୍ଗ୍ ମଲ୍/କମ୍ପ୍ଲେକ୍ସ୍ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହ ଜୁନ୍ ୩୦ ଯାଏଁ କୌଣସି ସିନେମା ହଲ୍, ଜିମ୍ ଓ ସୁଇମିଙ୍ଗ୍ ପୁଲ୍ ମଧ୍ୟ ଖୋଲି ପାରିବ ନାହିଁ। ହୋଟେଲ୍ ସବୁ ନିଜ ସାମର୍ଥ୍ୟର ୩୦% ନେଇ ଖୋଲି ପାରିବେ। ଗ୍ରାହକମାନେ ରେସ୍ତୋରାଁକୁ ଯାଇ ଭୋଜନ କରି ପାରିବେ ନାହିଁ। କେବଳ ହୋଟେଲ୍‌ରେ ରହୁଥିବା ଲୋକମାନଙ୍କ ପାଇଁ ରେସ୍ତୋରାଁ ଚାଲିବ।

ରାଜ୍ୟର କୌଣସି ସ୍ଥାନରେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ କରାଯାଇ ପାରିବ ନାହିଁ। ଭାରତ ସରକାର ରତ୍ରକାଳୀନ କର୍ଫ୍ୟୁ କୋହଳ କରିଥିଲେ ମଧ୍ୟ ଓଡ଼ିଶାରେ ପୂର୍ବବତ୍ ରାତି ୭ ରୁ ସକାଳ ୭ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଅକାରଣରେ କୌଣସି ଲୋକ ବାହାରେ ବୁଲାବୁଲି ନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

Spread the love