ସି-ଭୋଟର୍‌ ସର୍ଭେ: ନବୀନ ଏକ ନମ୍ବର, ଓଡ଼ିଶାରେ ମୋଦୀଙ୍କ ଲୋକପ୍ରିୟତା ସର୍ବାଧିକ

ଭୁବନେଶ୍ୱର, ୩/୦୬: ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ସର୍ବେକ୍ଷଣ ସଂସ୍ଥା ସି-ଭୋଟର ପକ୍ଷରୁ କରାଯାଇଥିବା ‘ଷ୍ଟେଟ୍‌ ଅଫ୍‌ ଦି ନେସନ ୨୦୨୦’ ସର୍ଭେରେ ଏହି ତଥ୍ୟ ଆସିଛି। ଆଜି ଜାତୀୟ ଗଣମାଧ୍ୟମରେ ଏହା ଖବରର ଶିରୋନାମ ପାଲଟିଛି। ଅନେକ ବଡ଼ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଲୋକପ୍ରିୟତାରେ ନବୀନ ପଛରେ ପକାଇ ଦେଇଛନ୍ତି।

ଅନ୍ୟରାଜ୍ୟ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସର୍ବାଧିକ ଲୋକପ୍ରିୟତା ଓଡ଼ିଶାରେ ହିଁ ଅଛି। ତାଙ୍କ କାର୍ଯ୍ୟକଳାପରେ ଓଡ଼ିଶାର ଲୋକମାନେ ବହୁତ ଖୁସି। ବିଜେପି ଶାସିତ ରାଜ୍ୟ ଅପେକ୍ଷା‌ ଓଡ଼ିଶାର ଲୋକ ମୋଦୀଙ୍କୁ ଅଧିକ ପସନ୍ଦ କରୁଥିବା ଏହି ସର୍ଭେ ରିପୋର୍ଟ ଦର୍ଶାଇଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୨.୯୬ ପ୍ରତିଶତ ମତ ସହ ତାଲିକାର ଶୀର୍ଷରେ ରହିଛନ୍ତି। ତାଲିକାର ଦ୍ବିତୀୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ (୮୧.୦୬%) ଓ ତୃତୀୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ (୮୦.୨୮%) ରହିଛନ୍ତି। ଚତୁର୍ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, ପଂଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଷଷ୍ଠରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି। ପ୍ରଥମ ୬ଟି ସ୍ଥାନରେ ବିଜେପି ଶାସିତ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ସ୍ଥାନ ପାଇ ନାହାନ୍ତି। ସପ୍ତମ ସ୍ଥାନରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ଅଷ୍ଟମ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ରହିଛନ୍ତି। ଲୋକପ୍ରିୟତା ତାଲିକାର ସବା ତଳେ ଅଛନ୍ତି ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମବର୍ଷର ପ୍ରଦର୍ଶନକୁ ନେଇ ରାଜ୍ୟ ୱାରି ସର୍ଭେ କରାଯାଇଥିଲା। ସାରା ଦେଶରେ ୬୫.୬୯% ଲୋକ ମୋଦୀଙ୍କ କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ଥିବା ଏହି ରିପୋର୍ଟ କହିଛି। ତେବେ ଓଡ଼ିଶାରେ ଲୋକମାନେ ମୋଦୀଙ୍କ ପ୍ରଦର୍ଶନରେ ସର୍ବାଧିକ ସନ୍ତୁଷ୍ଟ ଅଛନ୍ତି। ଓଡ଼ିଶାର ସର୍ବାଧିକ ୯୫.୬% ଲୋକ ମୋଦୀଙ୍କୁ ସମର୍ଥନ କରିଛନ୍ତି। ତାହା ପଛକୁ ରହିଛି ହିମାଚଳ ପ୍ରଦେଶ (୯୩.୯୫%) ଏବଂ ଛତିଶଗଡ (୯୨.୭୩%)। ତାମିଲନାଡୁରେ ମୋଦୀଙ୍କ ଲୋକପ୍ରିୟତା ସବୁଠାରୁ କମ୍‌। ଏହି ରାଜ୍ୟରେ ମାତ୍ର ୩୨.୧୫% ଲୋକ ମୋଦୀଙ୍କୁ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ୬୪.୦୬% ଲୋକ ମୋଦୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ଏହି ରିପୋର୍ଟ କହିଛି। ଏହି ସର୍ଭେରେ ରାହୁଲ ଗାନ୍ଧୀ ୨୩.୧୧% ଲୋକଙ୍କ ମଧ୍ୟରେ ଲୋକପ୍ରିୟ ଥିବା ଜଣାପଡ଼ିଛି।

Spread the love